ଭୁବନେଶ୍ବର : ଆସନ୍ତା ୨୪ ଓ ୨୫ତାରିଖରେ ରାଜ୍ୟର ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ଆଜି ୧୯ଟି ଜିଲ୍ଲା ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି। ପାଣିପାଗ ବିଭାଗ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାରୁ ଏନେଇ ଲୋକଙ୍କୁ ସତର୍କ କରାଇବା ସହ ବର୍ଷା ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସ୍ଆର୍ସି ଜିଲ୍ଲାପାଳମାନଙ୍କୁ କହିଛନ୍ତି।
ପାଣିପାଗ କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି ଯେ ଓଡ଼ିଶା ଉପରେ ଏବେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି। ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ପରିସ୍ଥିତି ଜାରି ରହିବ। ରାଜ୍ୟରେ ପାଗ ଶୁଖିଲା ରହିବ ଓ କାଁଭାଁ କେଉଁଠି କେମିତି ବର୍ଷା ହେବ। ମୌସୁମୀଜନିତ ନିମ୍ନ ଚାପରେଖା ରାଜସ୍ଥାନର ବିକାନେର୍ରୁ ବାହାରି ଟିକମ୍ଗଡ଼, ଜାମ୍ସେଦ୍ପୁର, ବାଲେଶ୍ବର ଦେଇ ପୂର୍ବ ଦିଗରେ ଗତି କରୁଛି ଓ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାଛଡ଼ା ବିଦର୍ଭ ଆଖପାଖ ଅଞ୍ଚଳରେ ଗତକାଲି ରହିଥିବା ଘୂର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ ଦିଗରେ ଗତି କରିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ରବିବାର ମଧ୍ୟ ଏହା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ଏହାପରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅପରପକ୍ଷେ ୧ ଜୁନ୍ରୁ ଅଗଷ୍ଟ ୨୧ତାରିଖ ମଧ୍ୟରେ ରାଜ୍ୟରେ ପାଖାପାଖି ୫୭୯.୬ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୮୨୩ ମିମିଠାରୁ ୩୦% କମ୍। ଏଥିରେ ୪ଟି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଯାଜପୁରରେ ୫୪% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୦%, କେନ୍ଦୁଝର ଓ ବଲାଙ୍ଗୀରରେ ୪୨% ଲେଖାଏଁ କମ୍ ବର୍ଷା ରେକର୍ଡ ହୋଇଛି।