ଜୁନ୍‌ ପହିଲାରୁ କେରଳ ଛୁଇଁବ ମୌସୁମୀ,୧୨ ସୁଦ୍ଧା ଓଡ଼ିଶା

0

ଭୁବନେଶ୍ବର: ଦେଶ କରୋନା ସଙ୍କଟ ଭିତରେ କଲବଲ ହେଉଥିବାବେଳେ ଚାଷୀକୂଳ ପାଇଁ ଶୁଭ ସଙ୍କେତ ଦେଖାଇଛି ପାଣିପାଗ ପୂର୍ବାନୁମାନ । ପ୍ରାକ୍‌ ଆକଳନ କହୁଛି, ଏଥର ଠିକ୍‌ ସମୟରେ ଆସିବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଦୀର୍ଘ ଅବଧି (ଏକ୍ସଟେଣ୍ଡେଡ୍‌ ରେଞ୍ଜ) ପୂର୍ବାନୁମାନ ସଙ୍କେତ ଦେଖାଉଛି ଯେ ଜୁନ୍‌ ପହିଲାବେଳକୁ କେରଳ ଛୁଇଁଯିବ ମୌସୁମୀ ।

ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ସମୟ ସୁଦ୍ଧା ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଆଇଏମ୍‌ଡି ସମେତ ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ୍‌କୁ ବିଶ୍ଳେଷଣ କରି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଓଡ଼ିଶାରେ ଜୁନ୍‌ ୧୨ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ କରିପାରେ । ଏମିତିକି ୩/୪ ଦିନ ଆଗୁଆ ବି ଆସିପାରେ । ଓଡ଼ିଶାରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ଜୁନ ୧୦ରୁ ୧୨ ତାରିଖ । ଏ ବର୍ଷ ଜୁନ୍‌ ପ୍ରଥମ ସପ୍ତାହରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ସମ୍ଭାବନା ଅଛି ।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତ ଏପ୍ରିଲ ୧୬ ତାରିଖରେ ଚଳିତବର୍ଷର ସମ୍ଭାବ୍ୟ ମୌସୁମୀ ବର୍ଷା ବାବଦରେ ପ୍ରଥମ ପୂର୍ବାନୁମାନ ଜାରି କରାଯାଇଥିଲା । ପରବର୍ତ୍ତୀ ବିସ୍ତୃତ ପୂର୍ବାନୁମାନ ଚଳିତ ମାସ ଶେଷରେ ଜାରି ହେବ । ତେବେ ମୌସୁମୀ କେବେ ସୁଦ୍ଧା କେରଳ ଉପକୂଳ ଛୁଇଁବ, ସେ ନେଇ ଆସନ୍ତା ୧୫ ତାରିଖରେ ଆଇଏମଡି ପୂର୍ବାନୁମାନ କରିବ । ପ୍ରତି ଗୁରୁବାର ଆଇଏମଡି ଚାରି ସପ୍ତାହ ପାଇଁ ଦୀର୍ଘ ଅବଧି ପାଣିପାଗ ପୂର୍ବାନୁମାନ ଦେଇଥାଏ । ସେଥିରେ ମିଳିଥିବା ସଙ୍କେତରୁ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ଆସିବା ଅନୁମାନ କରାଯାଉଛି । ୧୫ ତାରିଖ ପୂର୍ବାନୁମାନ ଆସିବା ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନ ରାଜ୍ୟରେ ପ୍ରାୟ ପ୍ରତିଦିନ ଘଡ଼ଘଡ଼ି ସହ କାଳବୈଶାଖୀ ହେଉଛି ବିଭିନ୍ନ ସ୍ଥାନରେ । ଯଦିଓ ମଝିରେ ଗରମ ବଢ଼ିବ । ତଥାପି କାଳବୈଶାଖୀ ଆଗକୁ ବି ଜାରି ରହିବ । ଏଭଳି ସ୍ଥିତି ମୌସୁମୀକୁ ଟାଣି ଆଣିବାରେ ସକ୍ଷମ ହେବ । ଏଥର କେରଳ ଭଳି ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଆସିବା ସମ୍ଭାବନା ଅଛି । ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଆସିପାରେ । ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ଏହା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ଅଧିକ । ଡକ୍ଟର ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲରୁ ଜଣାପଡ଼ୁଛି ଜୁନ୍‌ରୁ ସେପ୍ଟେମ୍ବର (୪ ମାସ) ଏନ୍‌ସୋ ଓ ଆଇଓଡି ନ୍ୟୁଟ୍ରାଲ ରହିବ । ଏହା ମୌସୁମୀ ବର୍ଷା ପାଇଁ ସହାୟକ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଗୋଲାର୍ଦ୍ଧରୁ ବିଷୁବ ରେଖା

ଅତିକ୍ରମ କରି ଉତ୍ତର ଭାରତ ମହାସାଗରରେ ପ୍ରବେଶ କରି ସାରିଛି । ଉଭୟ ବଙ୍ଗୋପସାଗର ଓ ଆରବ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ଆରମ୍ଭ ହୋଇଯାଇଛି । ସପ୍ତାହକ ଭିତରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ଏହା ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ । ଚଳିତବର୍ଷ ଲଗାତାର ତୃତୀୟ ବର୍ଷ ପାଇଁ ମୌସୁମୀ ଦେଶରେ ସ୍ୱାଭାବିକ ହେବା ସମ୍ଭାବନା ଅଛି । ଆଇଏମ୍‌ଡି ଓ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲରୁ ଜଣାପଡୁଛି, ଏ ବର୍ଷ ଦେଶରେ ବର୍ଷା ସ୍ୱାଭାବିକ ରହିବ । କୃଷି କାର୍ଯ୍ୟ ପାଇଁ ଭଲ ବର୍ଷା ସହାୟକ ହେବ । ଓଡ଼ିଶାରେ ଜୁନ୍‌ ୧୨ବେଳକୁ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ । ଏ ବର୍ଷ ବି ସେଇ ସମୟବେଳକୁ ମୌସୁମୀ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ଅଛି ।

ଡକ୍ଟର ପଶୁପାଳକ କହିଛନ୍ତି, କରୋନା ସଙ୍କଟବେଳେ କୃଷି ହିଁ ଅର୍ଥନୀତିକୁ ସୁଦୃଢ଼ କରିପାରିବ । ମୌସୁମୀର ଠିକ୍‌ ସମୟରେ ଆଗମନ ନିଶ୍ଚିତ ଭାବେ ଚାଷୀଙ୍କ ପାଇଁ ଶୁଭ ଖବର । ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବା ମାତ୍ରେ ବିଳମ୍ବ ନ କରି ଚାଷୀମାନେ ଚାଷ କାର୍ଯ୍ୟ ଆଗେଇବା ଦରକାର । ଏବେଠାରୁ ବିହନ ଓ ସାର ମହଜୁଦ କରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ରେ ଆଇଏମ୍‌ଡି ଚଳିତବର୍ଷ ମୌସୁମୀ ବର୍ଷା ନେଇ ପ୍ରଥମ ପୂର୍ବାନୁମାନ ସହ ପ୍ରଥମ କରି ସାରା ଦେଶ ପାଇଁ ସମ୍ଭାବ୍ୟ ବର୍ଷାର ଚିତ୍ର ଜାରି କରିଥିଲା । ସେଥିରୁ ଅନୁମାନ କରାଯାଇଥିଲା, ଏ ବର୍ଷ ଦେଶରେ ଭଲ ବର୍ଷା ହେବ । ଯଦିଓ ଓଡ଼ିଶାରେ ସାମଗ୍ରିକ ଭାବେ ବର୍ଷା ଭଲ ହେବ ବୋଲି ଏଥିରେ ଦେଖିବାକୁ ମିଳିଥିଲା, ତଥାପି ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ପରିମାଣ କମିବା ଆଶଙ୍କା କରାଯାଇଥିଲା ।

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ନାହିଁ । କାଳବୈଶାଖୀ ବର୍ଷା ପ୍ରତିଦିନ ହେଉଥିବାରୁ ରାଜ୍ୟରେ ତାତି ଅପେକ୍ଷାକୃତ କମ୍‌ ରହିଛି । ଗୁରୁବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିବାବେଳେ ସୋନପୁର ୪୦.୮, ଭବାନୀପାଟଣା ୩୯.୨, ଅନୁଗୁଳ ୩୯.୭, ଭୁବନେଶ୍ୱର ୩୯.୨, ସମ୍ବଲପୁର ୩୮.୮, ବଲାଙ୍ଗିର ୩୮.୪, ମାଲାକାନଗିରି ୩୮ ଡିଗ୍ରୀ ଥିଲା । ବୁଧବାରଠାରୁ ତାତି ସାମାନ୍ୟ ବଢ଼ିଛି ବିଭିନ୍ନ ଜାଗାରେ । ଗୁରୁବାର ଦିନବେଳା ଫୁଲବାଣୀରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ଅସରାଏ ବର୍ଷା ହୋଇଛି । ଶୁକ୍ରବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ବର୍ଷା ହୋଇପାରେ । ଏହାବାଦ୍‌ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ଜାଗାରେ ବର୍ଷା, ପବନ ହୋଇପାରେ । ୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଧିକ । ୧୦ରୁ ପୁଣି ତାତି ବଢ଼ିବ । ପାରଦ ୨ରୁ ୩ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି ।

Leave A Reply

Your email address will not be published.