କାମ କରୁନି ଚୀନ ଭ୍ୟାକସିନ୍

0

ନୂଆଦିଲ୍ଲୀ : ଚାଇନା ମାଲ୍‌ ଉପରେ ଭରସା ନାହିଁ ! ଏମିତି କଥା ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ମୁହଁରୁ ଶୁଣିବାକୁ ମିଳେ। ପୁଣି ଥରେ ଏହା ସତ ସାବ୍ୟସ୍ତ ହୋଇଛି। ଏବେ ଚୀନର କରୋନା ଟିକା କାମ ଦେଉନଥିବା ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷ କରି ବୟସ୍କଙ୍କ ଶରୀରରେ ସିନୋଫାର୍ମ ଟିକା କାମ କରୁନଥିବା ଜଣାପଡ଼ିଛି। କରୋନାଠୁ ରକ୍ଷା କରିପାରୁନଥିବା ବେଳେ ଲୋକଙ୍କ ଶରୀରରେ ଖରାପ ପ୍ରଭାବ ପକାଉଥିବା ମଧ୍ୟ କୁହାଯାଉଛି।

 

ଚୀନର ଭ୍ୟାକସିନ୍‌ ଖରାପ ପ୍ରଭାବ ପକାଉଥିବା ବେଳେ ଏହା କେବଳ ଗୋଟିଏ ଦେଶ ପାଇଁ ଚିନ୍ତାର କାରଣ ନୁହେଁ ବରଂ ଯେଉଁ ଦେଶ ଏହି ଟିକା କିଣିଛନ୍ତି ସେମାନଙ୍କ ପାଇଁ ଟେନସନ୍‌। ହଙ୍ଗେରୀରେ ୪୫୦ ଲୋକ ସିନୋଫାର୍ମ ଟିକାର ଦ୍ବିତୀୟ ଡୋଜ୍‌ ନେବାର ଦୁଇ ସପ୍ତାହ ପରେ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଲା ୫୦ ବର୍ଷରୁ କମ୍‌ ବୟସ ଲୋକଙ୍କ ଠାରେ ଟିକା ୯୦ ପ୍ରତିଶତ ଆଣ୍ଟିବଡି ବିକଶିତ କରୁଛି। କିନ୍ତୁ ବୟସାଧିକ୍ୟ ଲୋକଙ୍କ ଠାରେ ବିଶେଷ କରି ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଶରୀରରେ କେବଳ ୫୦ ପ୍ରତିଶତ ପ୍ରତିରୋଧକ କ୍ଷମତା ବୃଦ୍ଧିପାଉଛି। ଏହାର ଅର୍ଥ ସେମାନଙ୍କର ଇମ୍ୟୁନିଟି ବହୁତ ଖରାପ ରହିଛି।

 

ହଙ୍ଗେରୀର ଦୁଇ ଜଣ ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନ ଚଳିତ ସପ୍ତାହରେ ଅନଲାଇନ୍‌ ପୋଷ୍ଟ କରାଯାଇଥିଲା। କିନ୍ତୁ ଅନ୍ୟ କୌଣସି ବୈଜ୍ଞାନିକଙ୍କ ଗବେଷଣା ଏବେ ସୁଦ୍ଧା ପ୍ରକାଶ ପାଇନାହିଁ । ସେପଟେ ହଙ୍ଗକଙ୍ଗ ୟୁନିଭର୍ସିଟିର ଭାୟରୋଲୋଜିଷ୍ଟ ଜିନ ଡୋଙ୍ଗ ୟାନଙ୍କ ମତରେ ‘ଏହା ବହୁ ଚିନ୍ତାଜନକ । ସର୍ବାଧିକ ଭୟ ଥିବା ବ୍ୟକ୍ତିମାନଙ୍କ ଠାରେ ଆଣ୍ଟିବଡି ପ୍ରତିକ୍ରିୟା ଖରାପ ରହିଛି।’

 

ତେବେ ସିନୋଫାର୍ମ କରୋନା ଟିକା ୫୦ ରୁ ଅଧିକ ଦେଶରେ ବ୍ୟବହାର ହେଉଥିବା ବେଳେ ଏହାର କ୍ଲିନିକାଲ ଟ୍ରାଏଲ କେବଳ ୬୦ ବର୍ଷରୁ କମ୍‌ ବୟସର ଲୋକଙ୍କ ପାଇଁ କରାଯାଇଥିଲା। ଏହାରି ଭିତରେ ଟିକାର ଖରାପ ପ୍ରଭାବ ସମ୍ପର୍କରେ ତଥ୍ୟ ମିଳୁଥିବା ବେଳେ ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ଏହା ଉପରେ କିଛି ଟିପ୍ପଣୀ କରିବାକୁ ମନା କରିଦେଇଛି।

Leave A Reply

Your email address will not be published.