ଖୁସିରେ ଗୁଳି ବିନିମୟ କଲେ ତାଲିବାନ

0

କାବୁଲ  : ତାଲିବାନୀଙ୍କ ନିଷ୍ଠୁରତାର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ଯେଉଁଠାରେ ତାଲିବାନ ପଞ୍ଜଶିର ଦଖଲ କରିବାର ରିପୋର୍ଟ ପ୍ରକାଶ ପାଇବା କ୍ଷଣିକରେ କାବୁଲରେ ଥିବା ତାଲିବାନ ଆଖୁବୁଜା ଗୁଳି ଚଳାଇ ଉତ୍ସବ ମନାଇଥିଲେ। ତେବେ ସେମାନଙ୍କର ଏପରି ବେପରୁଆ ଗୁଳି ଚାଳନା ଯୋଗୁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି।ତାଲିବାନଙ୍କ ଗୁଳିରେ ନିରୀହ ଲୋକଙ୍କ ପ୍ରାଣ ହରାଇଥିଲେ ମଧ୍ୟ ଏଥିପାଇଁ ସଂଗଠନ ଦୁଃଖ ମଧ୍ୟ ପ୍ରକାଶ କରିନାହିଁ। ବରଂ ସଂଗଠନରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ହଠାତ୍‌ ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ସୂଚନା ମିଳିଥିଲା । ହେଲେ ପଞ୍ଜଶିରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କାବୁଲରେ ଥିବା ତାଲିବାନୀ ଉତ୍ସବ ମନାଇବା ଆରମ୍ଭ କରିଥିଲେ। ସେମାନେ ଖୁସିରେ ଆତ୍ମବିଭୋର ହୋଇ ଶତାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। କିନ୍ତୁ ଏବେ କୁହାଯାଉଛି କି ପଞ୍ଜଶିର ଏବେ ତାଲିବାନ କବଜାରେ ନାହିଁ ।ଏହି ସମୟରେ ସ୍ଥାନୀୟ ଅଞ୍ଚଳର ନିରୀହ ଆଫଗାନଙ୍କ ସୁରକ୍ଷା କଥା ସେମାନେ ଆଦୌ ଭାବି ନଥିଲେ। ତାଲିବାନୀ ନିଜ ଇଚ୍ଛାରେ ଗୁଳି ମାଡ଼ କରିବାରୁ ଏହା ଅନେକ ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଏବେ ବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଳିମାଡ଼ ଉତ୍ସବର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ତାଲିବାନ ପଞ୍ଜଶିର ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଖଣ୍ଡନ କରିଛି। ତେବେ ପଞ୍ଜଶିରକୁ ନେଇ ଏବେ ବି ଛକାପଞ୍ଝା ଲାଗି ରହିଛି ।

Leave A Reply

Your email address will not be published.