ଭୁବନେଶ୍ୱର, : କଠୋର ହେଲା ଟ୍ରାଫିକ୍ ନିୟମ। ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ବାତିଲ ହୋଇଯିବ ଲାଇସେନ୍ସ। ୩ ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ। ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ।
ଏବେ ଆପଣ ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ୩ ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ-ଆର.ଟି.ଓ. ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର। ୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ। ହେଲମେଟ ନପିନ୍ଧି ୨ ଚକିଆ ଯାନ ଚଳାଇଲେ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହେବ।
ସେହିପରି ମଦ ପିଇ ଗାଡ଼ି ଚଳାଇଲେ ଏବଂ ଅଧିକ ବେଗରେ ଗାଡ଼ି ଚଳାଇଲେ ଆପଣଙ୍କ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ ହୋଇଯିବ। ସେହିପରି ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କଲେ, ଅଧିକ ମାଲ୍ ପରିବହନ କଲେ, ଟ୍ରାଫିକ ପଏଣ୍ଟରେ ରେଡ୍ ସିଗନାଲ ଭାଙ୍ଗିଲେ ଏବଂ ଭୁଲ୍ ଦିଗରୁ ଗାଡ଼ି ଚଳାଇଲେ, ପ୍ରଥମ ଉଲ୍ଲଙ୍ଘନ ହେଲେ ବି ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ। ଆର.ଟି.ଓ. ମାନଙ୍କୁ ଚିଠି ଲେଖି ପରିବହନ କମିଶନର କହିଛନ୍ତି, ସୁପ୍ରିମକୋର୍ଟ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।.