ଭୁବନେଶ୍ୱର, ଏମିତି ଆକାରର ଘର ଭଡ଼ା ମାସକୁ ୧୨ ହଜାର ଟଙ୍କାରୁ ଅଧିକ । ଆମେ ୬ ହଜାରରେ ଦେଉଛୁ । ମାଲିକ ବି ରାଜ୍ୟ ବାହାରେ । ନିଜ ମର୍ଜିରେ ଘରେ ରହିବ । ହଇରାଣ କରିବାକୁ କେହି ନାହିଁ । ଅନ୍ଲାଇନ୍ରେ ୬ ମାସର ଘର ଭଡ଼ା ଭରିଲେ ଆମେ ଦଖଲ ଦେବୁ । ଏମିତି ଫୋନ୍ କଲ୍ ଆସୁଥିଲେ ସାବଧାନ ରୁହନ୍ତୁ । ଭଡ଼ା ଘର ଯୋଗାଇବା ଦଲାଲ୍ ସାଜି ସାଇବର ଠକ ଶିକାର ପାଇଁ ଜାଲ ବିଛାଇଥିବ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ପୋଛି ନେବ ।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଲୋକଙ୍କୁ ଏହି ସଚେତନ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ବିଗତ କିଛି ଦିନ ହେଲା, ସାଇବର ହେଲ୍ପ ଡେସ୍କକୁ ଏମିତି ଠକେଇର ମାଳ ମାଳ ଅଭିଯୋଗ ଆସୁଛି । ଦଲାଲ୍ ସାଜି ସାଇବର ଠକ ଘର ଖୋଜୁଥିବା ବ୍ୟକ୍ତିଙ୍କୁ ଲୋଭନୀୟ ଅଫର୍ ଦେଉଛି । ଯଦି କେହି ଜାଲରେ ଫସୁଛନ୍ତି, ଠକ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ କରିନେଉଛି । ଫୋନ୍ କରୁଥିବା ବ୍ୟକ୍ତିର କଥା ବିଶ୍ୱାସ ନକରି ପ୍ରଥମେ ଘର ଦେଖନ୍ତୁ । ମାଲିକ ସହ ଯୋଗାଯୋଗ କରି ଘର ଭଡ଼ା ନିଅନ୍ତୁ ।
ସାଇବର ଠକଙ୍କ ୧୩ ଅସ୍ତ୍ର
ସାଇବର ଠକଙ୍କ ନାନା ଠକେଇ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ନୂଆ ନୂଆ ଅସ୍ତ୍ର(ଟେକ୍ନଲୋଜି) ଜରିଆରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ଗୁଡ଼ିକର ତର୍ଜମାରୁ ଜାଣି ପଡି଼ଛି, ରାଜଧାନୀରେ ସାଇବର ଠକ ସାଧାରଣତଃ ୧୩ଟି ଉପାୟରେ ଲୋକଙ୍କୁ ଶିକାର କରୁଛନ୍ତି ।
ସେକ୍ସଟୋର୍ସନ ଅର୍ଥାତ ସୁନ୍ଦରୀ ଯୁବତୀଙ୍କ ଥୋପ ପକାଇ ଲୋକଙ୍କୁ ଜାଲରେ ଫସାଉଛନ୍ତି । ଏ କ୍ଷେତ୍ରରେ ଲୋକ ଲଜ୍ୟା ଭୟରେ କ୍ଷତିଗ୍ରସ୍ତ ଅଭିଯୋଗ ପାଇଁ ପଛଘୁଞ୍ଚା ଦିଏ ।
ଓଏଲ୍ଏକ୍ସରେ ସାଇବର ଠକଙ୍କୁ ଡାଟାବେସ୍ ଦରକାର ପଡେନି । ଓଏଲ୍ଏକ୍ସ ୟୁର୍ଜସ(ସଦସ୍ୟ)ଙ୍କ ସବିଶେଷ ତଥ୍ୟ ତାଙ୍କ ଆକାଉଣ୍ଟରୁ ସହଜରେ ମିଳିଯାଏ । ୟୁର୍ଜସଙ୍କ ଆବଶ୍ୟକତାକୁ ଆଧାର କରି ଠକ ଜାଲ ବିଛାଉଛନ୍ତି ।
ବଡ଼ ଅସ୍ତ୍ର ପାଲଟିଛି ଚାକିରି ଲୋଭ । ଫିସିଂ ୱେବ୍ସାଇଟ୍, ନୌକରି ଡଟ୍ କମ୍, ଲିଙ୍କ୍ ଡିନ୍, ଓଏଲ୍ଏକ୍ସ, କୁଇକର ଭଳି ପ୍ଲାଟଫର୍ମରେ ନକଲି ଚାକିରି ଅଫର୍ ଦେଖାଇ ଲୋକଙ୍କୁ ଠକୁଛନ୍ତି ।
କ୍ରେଡିଟ୍ କାର୍ଡ ଏଜେଣ୍ଟ ସାଜି ଇନ୍ସ୍ୟୁରାନ୍ସ ଡି ଆକ୍ଟିଭେସନ ପାଇଁ ନକଲି ଫୋନ୍ କଲ୍ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି ।
କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇବା ନାଁରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ପୋଛି ନେଉଛନ୍ତି ।
ଫୋନ୍ ପେ୍ରେ ଟଙ୍କା ଫେରାଇବା ସ୍କିମ୍ର ଲୋଭ ଦେଖାଇ ଆକାଉଣ୍ଟରୁ ଟଙ୍କା ଗାଏବ୍ କରି ନେଉଛନ୍ତି ।
ବିଏସ୍ଏନ୍ଏଲ୍, ଜିଓ ଭଳି ଟେଲିକମ୍ କମ୍ପାନୀର କେୱାଇସି ଭେରିଫିକେସନ କରିବାକୁ କହି ଜାଲ ବିଛାଉଛନ୍ତି ।
କେବିସି ଲଟେରୀ ଉଠିଥିବା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।
ମୋବାଇଲ୍ ଟାୱାର ବସାଇବା ଲୋଭରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ କରୁଛନ୍ତି ।
୨ ଚକିଆ ସର୍ଭିିସିଂର ଫ୍ରାଞ୍ଚାଇଜ୍ ଯୋଗାଇବାକୁ କହି ଠକି ଦେଉଛନ୍ତି ।
ଅନ୍ଲାଇନ୍ ଡାଟା ଏଣ୍ଟ୍ରି ଅପରେଟର ଭଳି ଚାକିରି ଲୋଭ ଦେଖାଇ ପାଠପଢ଼ା ଯୁବକ ଯୁବତୀଙ୍କ ସହ ଏକ ଚୁକ୍ତିନାମା କରୁଛନ୍ତି । ଚୁକ୍ତି ଅନୁସାରେ ମାସିକ ଟାର୍ଗେଟ ପୂରଣ ନହେଲେ, ଟଙ୍କା ଠକିବାର ବାହାନା ମିଳିଯାଏ