ମଦ ପିଇ ବ୍ୟକ୍ତିଙ୍କର ଉନ୍ମତ୍ତକାଣ୍ଡ

0

ଭୁବନେଶ୍ୱର, :   ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣରେ ଆଜି ସନ୍ଧ୍ୟାରେ ଜଣେ ବ୍ୟକ୍ତି ମଦ ପିଇ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି । ସ୍ତ୍ରୀ, ସଢ଼ୁ ଓ ଶାଳକଙ୍କୁ ଅତର୍କିତ ଭୁଜାଲି ମାଡ଼ କରିଛନ୍ତି । ପୁଲିସ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତ ମଦ୍ୟପ ସଞ୍ଜୟ ବାରିକଙ୍କୁ ଉଠାଇଆଣି ଥାନାରେ ଅଟକ ରଖିଛି ।

ପୁଲିସ ସୂଚନା ଅନୁଯାୟୀ, ସଞ୍ଜୟ ଗାଡ଼କଣରେ ରାଜୀବ ଆବାସ ଯୋଜନାରେ ଘର କରିଥିଲେ । ୨ ଦିନ ତଳେ ତାଙ୍କ ଘର ପ୍ରତିଷ୍ଠା କରିଥିଲେ । ପ୍ରତିଷ୍ଠା ଉପଲକ୍ଷେ ଘରକୁ ନିକଟରେ ରହୁଥିବା ସଢ଼ୁ ଆଶିଷ ବେହେରା ଓ ଆଶିଷଙ୍କ ଶାଳକ ଜଗନ୍ନାଥ ବେହେରା ଆସିଥିଲେ । ରାତିରେ ସଞ୍ଜୟ ମଦ ପିଇ ଆସି ଘରେ ସ୍ତ୍ରୀ ମାମୁନିଙ୍କ ସହ ଝଗଡ଼ା କରିଥିଲେ । ଘରେ କୁଣିଆ ଭର୍ତ୍ତି ହୋଇଥିବାରୁ ସେମାନେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ସମାଧାନ କରିଥିଲେ ।

ଗତକାଲି ପୂର୍ବାହ୍ନରେ ସଞ୍ଜୟ ଘରେ ନଥିବା ବେଳେ ମାମୁନି ଆଶିଷ ଓ ଜଗନ୍ନାଥଙ୍କ ସହ ମାର୍କେଟିଂ କରିବାକୁ ଯାଇଥିଲେ । ସଞ୍ଜୟ ଘରକୁ ଫେରି କାହାରିକୁ ନ ପାଇ ଘର ଭିତରେ ଥିବା ଟିଭି, ଫ୍ୟାନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ବଜାରରୁ ଫେରି ଘର ଭିତରେ ସବୁ ଭଙ୍ଗାରୁଜା ହୋଇଥିବା ଦେଖି ମାମୁନି ସଞ୍ଜୟଙ୍କୁ ପଚାରିବାରୁ ସେ ଗାଳିଗୁଲଜ କରି ପଳାଇଥିଲେ । ଆଜି ସନ୍ଧ୍ୟାରେ ସଞ୍ଜୟ ମଦ୍ୟପାନ କରି ଘରକୁ ଆସିବା ପରେ ମାମୁନି ତାଙ୍କୁ କାହିଁକି ଘର ଜିନିଷପତ୍ର ଭଙ୍ଗାରୁଜା କଲ ବୋଲି ପଚାରିଥିଲେ । ଏଥିରେ ସଞ୍ଜୟଙ୍କ ମୁଣ୍ଡକୁ ପିତ୍ତ ଚହଟି ଯାଇଥିଲା । ସେ ଘର ଭିତରୁ ଏକ ଭୁଜାଲି ଆଣି ମାମୁନିଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ପିଠିକୁ ୩ ଥର ଓ ହାତକୁ ଏକ ଚୋଟ ଦେଇଥିଲେ ।

ମାମୁନିଙ୍କ ଚିତ୍କାର ଶୁଣି ଆଶିଷ ଆସି ପ୍ରତିବାଦ କରିବାରୁ ସଞ୍ଜୟ ତାଙ୍କୁ ମଧ୍ୟ ଭୁଜାଲି ମାଡ଼ କରିଥିଲେ । ଏହା ଦେଖି ଆଶିଷଙ୍କ ଶାଳକ ଜଗନ୍ନାଥ ଆସିଯିବାରୁ ତାଙ୍କୁ ମଧ୍ୟ ସଞ୍ଜୟ ହାଣି ପକାଇଥିଲେ । ପାଖ ପଡ଼ୋଶୀଙ୍କ ଠାରୁ ଖବରପାଇ ପିସିଆର ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସଞ୍ଜୟଙ୍କୁ ଗିରଫ କରିଛି । ଆସନ୍ତାକାଲି ସଞ୍ଜୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.