ମଇଳା ପ୍ରକ୍ରିୟାକରଣ ପ୍ଲାଣ୍ଟକୁନେଇ ଉତ୍ତେଜନା

0

କେନ୍ଦୁଝର(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ମହକୁମା ନିକଟସ୍ଥ ଶିରିଶପାଳ ପଞ୍ଚାୟତ ଅଧିନ ବଳଭଦ୍ରପୁର ମୌଜାରେ ନିର୍ମାଣାଧିନ ପାଇଖାନା ମଇଳା ପ୍ରକ୍ରିୟା କରଣ ପ୍ଲାଣ୍ଟକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ ସମସ୍ୟା ସୃଷ୍ଟି ହେବା ସହ ଚାଷକାର୍ଯ୍ୟ ବ୍ୟାହତ ହେବବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ସ୍ଥାନରେ କେନ୍ଦୁଝର କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଚାଷର ଅଗ୍ରଗତି ନିମନ୍ତେ ଏକ କେନାଲ ଥିବାବେଳେ ଚାରିପଟରେ ଚାଷଜମି ଓ ଗୋଚର ଜମି ମଧ୍ୟ ରହିଛି । ଏଥିସହ ସରକାରୀ ବ୍ୟବସ୍ଥା ଅନୁଯାୟୀ ୧୫ଜଣ ଭୂମିହୀନ ଆଦିବାସୀଙ୍କୁ ବସତି ସ୍ଥାପନ ନିମନ୍ତେ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଏହି ପ୍ଲାଣ୍ଟର ମାତ୍ର ୨୦ ମିଟର ବ୍ୟବଧାନରେ ଥିବା ୨୪୨ ନମ୍ବର ପ୍ଲଟରେ ବିଦ୍ୟାଳୟଥିବାବେଳେ ୨୯୪ ନଂ ପ୍ଲଟ୍‌ରେ ଘରବାରି ରହିଛି । ଉକ୍ତ ଜମିରେ ଗ୍ରାମବାସୀମାନେ ରବି ଓ ଖରିଫ ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି । ସେମାନଙ୍କର ଗୃହପାଳିତ ପଶୁମାନେ ନିର୍ମାଣାଧୀନ ପ୍ଲାଣ୍ଟ ପାଖରେ ଥିବା ଗୋଚର ଜମିରେ ବର୍ଷବର୍ଷ ଧରି ଚରିଆସୁଥିବାବେଳେ କେନ୍ଦୁଝର ଉଦ୍ୟାନ ବିଭାଗ ତରଫରୁ ଚାଷୀଙ୍କୁ ପ୍ରୋତ୍ସାହନ ନିମନ୍ତେ ଜଳ ମହଜୁଦ୍‌ ସକାଶେ ଏକ ବନ୍ଧ ମଧ୍ୟ ନିର୍ମାଣ କରାଯାଇଛି । ଏହି ସ୍ଥାନରେ ମଇଳା ମହଜୁଦ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲେ ଚାଷକାର୍ଯ୍ୟ ବ୍ୟାହତ ହେବାସହ ଗୃହପାଳିତ ପଶୁ ଘାସ ଚରିବା ପାଇଁ ମଧ୍ୟ ସ୍ଥାନ ପାଇବେନାହିଁ । ସହରର ସମସ୍ତ ପାଇଖାନା ଟାଙ୍କିରୁ ମଇଳା ନିଷ୍କାସନ କରାଯାଇ ଏଠାରେ ମହଜୁଦ ଏବଂ ସଫେଇ କରଣ କରାଯିବାର ପ୍ରସ୍ତାବ ରହିଥିବାରୁ ଏହି ମଇଳା ନିର୍ଗତ ଦ୍ୱାରା ଜଳ, ଜମି ଓ ବାୟୁ ପ୍ରଦୂଷିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ମାତ୍ର ଏହି ପାଇଖାନା ମଇଳା ପ୍ରକ୍ରିୟା କରଣ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ସେମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେବ ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ପୌରପାଳିକା ତରଫରୁ ୫ଏକର ୩୧ ଡେସିମିଲ ପରିମିତ ଜାଗାରେ ଏକ ପାଇଖାନା ମଇଳା ପ୍ରକ୍ରିୟା କରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି । ପ୍ଲାଣ୍ଟ ପାଇଁ ଗ୍ରାମସଭା କରାନଯାଇ ମୌଜାର ୨୮୯ ପ୍ଲଟ୍‌ ଏବଂ ଖାତା ନଂ ୩୧ରେ ଏହି ପ୍ଲାଣ୍ଟର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି । ପୌରପାଳିକା କର୍ତ୍ତୃପକ୍ଷ ବିନା ଟେଣ୍ଡର ଏବଂ ଜମି ଚିହ୍ନଟ ପ୍ରକ୍ରିୟା ପ୍ରତି ଗୁରୁତ୍ୱ ନଦେଇ ପଞ୍ଚାୟତ ଅଞ୍ଚଳରେ ଏହି ମଇଳା ପ୍ଲାଣ୍ଟ ନିର୍ମାଣ କରୁଥିବାରୁ ଗ୍ରାମବାସୀ ଏବଂ ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରି କେନ୍ଦୁଝର ଜିଲ୍ଲାପାଳ, ଉତ୍ତରାଞ୍ଚଳ ରାଜସ୍ୱ କମିଶନ ସମ୍ବଲପୁର, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଏବଂ ବିଡିଓ କେନ୍ଦୁଝରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ପ୍ଲାଣ୍ଟକୁ ତୁରନ୍ତ ସ୍ଥାନାନ୍ତର ନକଲେ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.