ମମତା ବାନାର୍ଜୀଙ୍କୁ ନିର୍ବାଚନ ଆୟୋଗଙ୍କ ବଡ ଝଟ୍‌କା

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ବିଚାର କରିବାକୁ ନିର୍ବାଚନ ଆୟୋଗ ମନା କରି ଦେଇଛନ୍ତି । ଆଜି (ରବିବାର) ଏ ନେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଷଡଯନ୍ତ୍ର ନୁହେଁ । ଏଠାରେ ସୂଚନା ଥାଉକି ଯେ, ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ ଆହତ ହୋଇଥିଲେ । ଏହା ପରେ ଟିଏମସି ଏହି ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ଅଭିହିତ କରିଥିଲା । ଏଥିପାଇଁ ଟିଏମସି ନେତାମାନେ ମଧ୍ୟ ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟି ତଦନ୍ତ ଦାବି କରିଥିଲେ ।

ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକଙ୍କ ଠାରୁ ରିପୋର୍ଟ ମାଗିଥିଲେ । ଗୋଡରେ ଆଘାତ ଲାଗିବା ପରେ ମମତା ବାନାର୍ଜୀ ଦାବି କରିଥିଲେ ଯେ ୪-୫ ଜଣ ଲୋକ ତାଙ୍କୁ ଆକ୍ରମଣ କରି, ଜାଣିଶୁଣି ଆହତ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂତ୍ରରୁ ପ୍ରକାଶ ଯେ, ବିଶେଷ ପର୍ଯ୍ୟବେକ୍ଷକ ମାନେ ଆକ୍ରମଣର କୌଣସି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି । ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଆୟୋଗକୁ ପଠାଯାଇଥିବା ରିପୋର୍ଟରେ କହିଛନ୍ତି ଯେ ଆକ୍ରମଣର କୌଣସି ପ୍ରମାଣ ମିଳିନାହିଁ । ମମତା ଆହତ ହେବା ପୂର୍ବରୁ ସେ ପୋଲିସର ବହୁତ ବଡ ସୁରକ୍ଷା ଅଧୀନରେ ଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟକୁ ଅସମ୍ପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଆଜି ନିର୍ବାଚନ ଆୟୋଗ ମୁଖ୍ୟ ଶାସନ ସଚିବ ଆଲାପାନ୍ ବୃନ୍ଦୋପାଧ୍ୟାୟଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ବୁଧବାର ସନ୍ଧ୍ୟାରେ ଏହି ଘଟଣା ପରେ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ରିପୋର୍ଟ ମାଗିଥିଲେ । ଏବଂ ରାଜ୍ୟ ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକ ଶନିବାର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ ଏବଂ ପରେ ରିପୋର୍ଟକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିର୍ବାଚନ ଆୟୋଗକୁ ପଠାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ୧୦ ରେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଏକ କାର୍‌ର ଡୋର୍ ଆଘାତ ଦେଇଥିଲା । ତେବେ କାରର ଡୋର୍ କିପରି ତାଙ୍କ ଗୋଡରେ ବାଜିଛି ତାହା ଜଣାପଡି ନାହିଁ । ଆହତ କିପରି ହୋଇଛନ୍ତି ତାହା ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ ବୋଲି ନିର୍ବାଚନ ଆୟୋଗ ଜାଣିବାକୁ ପାଇଛନ୍ତି ।

Leave A Reply

Your email address will not be published.