ନୂଆଦିଲ୍ଲୀ:ଆନ୍ତଃରାଜ୍ୟ ସୀମା ବିବାଦକୁ ନେଇ ବିବାଦୀୟ ବୟାନ ଦେବା ମିଜୋରାମ ସାଂସଦଙ୍କୁ ମହଙ୍ଗା ପଡିଛି। ସାଂସଦ କେ ଭନଲାଲଭେନାଙ୍କ ବିରୋଧରେ ଆସାମା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି କ୍ରମରେ ଆସାମ ପୋଲିସର ଏକ ଦଳ, ସିଆଇଡି ଓ କିଛି ଅଧିକାରୀଙ୍କ ଦଳ ରାଜ୍ୟସଭା ସାଂସଦଙ୍କୁ ଜେରା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଆସାମର ଡିଜିପି ଭାସ୍କର ଜ୍ୟୋତି ମହନ୍ଥ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।
ଡିଜିପି ଭାସ୍କର ଜ୍ୟୋତି ମହନ୍ଥ କହିଛନ୍ତି, ଆସାମ ପୋଲିସ ପ୍ରଥମରୁ ହିଁ ଆସାମ ପୋଲିସ କର୍ମଚାରୀ ଉପରେ ଗୁଳିମାଡ କରିଥିବା ଉପଦ୍ରବୀଙ୍କ ଦସ୍ତାବିଜ ପ୍ରସ୍ତୁତ କରିଛି। ଏହାକୁ ଆଇନଗତ ପ୍ରକ୍ରିୟାରେ ସାମିଲ କରାଯିବ। ଆସାମ ପୋଲିସ ଜୁଲାଇ ୨୬ରେ ଆସାମ ପୋଲିସ କର୍ମଚାରୀଙ୍କ ବର୍ବର ହତ୍ୟାରେ ସାମିଲ୍ ପ୍ରତି ବ୍ୟକ୍ତିଙ୍କ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।