ଚଣ୍ଡିଖୋଲ, : ନଦୀରେ ବୁଡି ଯାଇ ୫ ବର୍ଷର ଶିଶୁର ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅଧୀନ ବଡ଼ ନଛିପୁର ଗ୍ରାମରେ ।
ସୂଚନାନୁସାରେ, ବରୀ ଅଣିକଣା ଗ୍ରାମର ରମାକାନ୍ତ ରାଉତଙ୍କ ୫ ବର୍ଷର ଶିଶୁ ପୁତ୍ର ବିଗ୍ନେଶ୍ୱର ମାମୁଁ ଘର ବଡ଼ ନଛିପୁର ଗ୍ରାମରେ କିଛି ଦିନ ହେବ ରହୁଥିଲେ । ଗୁରୁବାର ବିଗ୍ନେଶ୍ୱରର ଜନ୍ମଦିନ ଥିବା ବେଳେ ବାପା-ମା ପୁଅର ଜନ୍ମଦିନ ପାଳନ କରିବା ପାଇଁ ଆସିଥିଲେ । ହେଲେ ବିଗ୍ନେଶ୍ୱର ଘର ପାଖରେ ବୁଲା ବୁଲି କରୁଥିବା ସମୟରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।
ଘର ଲୋକେ ବହୁ ଖୋଜାଖୋଜି ପରେ ବଡ଼ ଗେଙ୍ଗୁଟି ନଦୀ ତୁଠରେ ପୁଅ ଚପଲ ପଡ଼ିଥିବା ଦେଖିଥିଲେ । ନଦୀରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । ଗୋଟିଏ ପଟେ ବିଗ୍ନେଶ୍ୱରର ଜନ୍ମଦିନର ପ୍ରସ୍ତୁତି ଚାଲୁଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।