ଜଳେଶ୍ଵର : ବାଲିଆପାଳ ଥାନା ବିଷ୍ଣୁପୁର ପଞ୍ଚାୟତର ଜାମକୁଣ୍ଡାରୁ ବିଷ୍ଣୁପୁରକୁ ଯିବା ରାସ୍ତା କଡ ନାଳରେ ଭାସୁଛି ମୃତଦେହ। ମୃତକ ଜଣଙ୍କ ହେଲେ ସ୍ଥାନୀୟ ଇକଡପାଳ ଗ୍ରାମର ଅଶୋକ ଶାହା। ଅଶୋକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ବିଷ୍ଣୁପୁର ପଞ୍ଚାୟତର ଜାମକୁଣ୍ଡାରୁ ବିଷ୍ଣୁପୁରକୁ ଯିବା ରାସ୍ତା କଡ ନାଳରେ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ସାଇକେଲ ସହ ଭାସୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଇକଡପାଳ ଗ୍ରାମର ଅଶୋକ ଶାହା। ସେ ପଶ୍ଚିମବଙ୍ଗରୁ ଆସି ଦୀର୍ଘଦିନ ଧରି ବାଲିଆପାଳ ଥାନା ଇକଡପାଳ ଗାଁରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। ପରେ ଇକଡପାଳ ଗ୍ରାମର ସନ୍ୟାସୀ ପାତ୍ରଙ୍କ ସାନ ଝିଅଙ୍କୁ ବିବାହ କରିଥିଲେ। ତାଙ୍କର ୮ ବର୍ଷର ପୁଅଟିଏ ମଧ୍ୟ ରହିଛି। ତେବେ ଗତ ରାତିରେ କାମ ସାରି ଘରକୁ ଆସୁଥିବା ବେଳେ ଅଣ ଓସାରିଆ ରାସ୍ତାରେ ହୁଏତ ତଳକୁ ଖସି ପଡ଼ିଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ତେବେ ଏହା ଦୁର୍ଘଟଣା ନା ହତ୍ୟା ତାହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।