ନିଆଁରେ ପୋଡ଼ି ହୋଇ ମହିଳା ଜୀବନ୍ତ ଦଗ୍ଧ

0

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଅଧୀନ ବାଲିକଣା ପଞ୍ଚାୟତର ବଢ଼େଇପଡ଼ା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଏକ ଦୁଃଖଦ ଘଟଣା ଘଟିଛି । ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଦାମୋଦର ବିଶ୍ୱାଳଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ (୩୪) ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହରୁ ଦେହରେ ପେଟ୍ରୋଲ ଢାଳି ହୋଇ ଗୀତାଞ୍ଜଳି ନିଆଁ ଲଗାଇ ଦେବାରୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ପରିବାର ଲୋକେ କହିଛନ୍ତି । ଅପରପକ୍ଷରେ ତାଙ୍କୁ ତାଙ୍କ ସ୍ୱାମୀ ଦାମୋଦର ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୀତାଞ୍ଜଳି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ମହିଳାଙ୍କ ଭାଇ ଲିପନ ବିଶ୍ୱାଳ ଏନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ରାଜନଗର ଥାନା କାଳୁପଡ଼ା ଗ୍ରାମର ଲିପନଙ୍କ ଭଉଣୀ ଗୀତାଞ୍ଜଳି ଗତ ୯ବର୍ଷ ତଳେ ପଟ୍ଟାମୁଣ୍ଡାଇ ଥାନା ବିଲିକଣା ପଞ୍ଚାୟତ ବଢ଼େଇପଡ଼ା ଗ୍ରାମର ଦାମୋଦରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏନେଇ ଗୀତାଞ୍ଜଳିଙ୍କ ଘର ଲୋକେ ଆସି ଆପୋସ ସମାଧାନ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଗୀତାଞ୍ଜଳି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଶାଶୂ ଘର ଲୋକେ କହୁଥିବା ବେଳେ ମୃତକଙ୍କ ଭାଇ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ପୁଲିସ ଆଇପିସି ୪୯୮ (କ) ୩୦୨, ୩୪ ବଳରେ ଏକ ମାମଲା (କେସ୍‌ ନଂ.୧୫୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.