ନ୍ୟାୟ ମିଳିଲେ ହେବ ସତ୍କାର

0

ସୁଲତାନପୁର: ସୁଲତାନପୁରରେ ଜଣେ ପିତା ଗତ ୧୭ ଦିନହେଲା ନିଜ ମୃତ ପୁଅର ମୃତଦେହକୁ ଏକ ଡିପ୍ ଫ୍ରିଜରେ ରଖି ନ୍ୟାୟ ମାଗିଛନ୍ତି। ହତ୍ୟା ସନ୍ଦେହ କରି ସେ ପୁଅର ମୃତଦେହର ପୁନଃ ପୋଷ୍ଟମର୍ଟମ ପାଇଁ ଦାବି କରିଛନ୍ତି। ପ୍ରଶାସନ ତାଙ୍କ ଗୁହାରି ନ ଶୁଣିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ କୋର୍ଟ ପୁନଃ ପୋଷ୍ଟ ମର୍ଟମ ନିର୍ଦ୍ଦେଶ ଦେବେ ନା ନାହିଁ ତା ଉପରେ ପରିବାରର ନଜର ରହିଛି। 

ମାମଲା ଉତ୍ତର ପ୍ରଦେଶ କୁରେମାର ଥାନା ଅନ୍ତର୍ଗତ ପୁରେ ସୁବେଦାର ଗାଁର। ଏହି ଗାଁରେ ରହୁଥିବା ଶିବ ପ୍ରସାଦ ପାଠକଙ୍କ ପୁଅ ଶିବାଂଶ ଦିଲ୍ଲୀରେ ଜଣେ ସହଯୋଗୀ ବରୁଣ ବର୍ମାଙ୍କ ସହ ଏକ୍ସିଗୋ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଚଲାଉଥିଲେ। ଏହି କମ୍ପାନୀରେ ଏଚଆର ଭାବେ କାମ କରୁଥିବା ଗୁରୁମିତ କୌରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ପରସ୍ପର ସହ ସାରା ଜୀବନ ରହିବାକୁ ଶପଥ ନେଇ ୨୦୧୩ରେ ବିବାହ କରିଥିଲେ। ଗୁରୁମିତ ଓ ଶିବାଂଶଙ୍କ ଏକ ବର୍ଷର ଝିଅ ବି ଅଛି। ଅଗଷ୍ଟ ୧ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ଶିବାଂଶଙ୍କ ମୃତ୍ୟୁ ହୋଇଥିଲା। ଶିବାଂଶଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଶିବାଂଶଙ୍କ ପତ୍ନୀ ଓ ବନ୍ଧୁ ବରୁଣ ସମ୍ପତ୍ତି ଲୋଭରେ ତାଙ୍କୁ ହତ୍ୟା କରିଛନ୍ତି। ଶିବାଂଶଙ୍କ ପାଇଁ ଦିଲ୍ଲୀ ବେଗମପୁର ଥାନାରେ ଦୁହିଁଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ମାମଲା ରୁଜ୍ଜୁ କରିନଥିଲା। ପୋଷ୍ଟ ମର୍ଟମରେ ବି ପୋଲିସର ସନ୍ଦିଗ୍ଧ ଭୂମିକା ଥିବା ପରିବାର ଲୋକ କହିଛନ୍ତି।

ପୋଲିସ ଠାରୁ ନ୍ୟାୟ ନ ମିଳିବାରୁ ପରିବାର ଲୋକ ଶିବାଂଶଙ୍କ ମୃତଦେହ ନେଇ ସୁଲତାନପୁର ନିଜ ପୈତୃକ ଗାଁକୁ ଆସିଲେ ତାକୁ ଏକ ଡିପ୍ ଫ୍ରିଜରେ ରଖିଦେଲେ। ପୁନଃ ପୋଷ୍ଟ ମର୍ଟମ ପାଇଁ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ଗୁହାରି କରିଛନ୍ତି। କିନ୍ତୁ ଅଧିକାରୀ ବି ଶୁଣିନଥିଲେ। ଫଳରେ ଶିବାଂଶଙ୍କ ପିତା ଦିଲ୍ଲୀ ହାଇକୋର୍ଟ ସହ ସୁଲତାନପୁର ସିଭିଲ କୋର୍ଟରେ ପୁନଃ ପୋଷ୍ଟ ମର୍ଟମ ପାଇଁ ଆବେଦନ କରିଛନ୍ତି। ତେବେ ମାମଲାରେ ଏଯାଏଁ ନ୍ୟାୟାଳୟରୁ କୌଣସି ଆଦେଶ ଆସିନାହିଁ। ପରିବାର ଲୋକ ଗତ ୧୭ ଦିନ ହେଲା ଶବ ସତ୍କାର ନ କରି ଶବକୁ ଡିପ୍ ଫ୍ରିଜରେ ରଖି କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.