ଓଡ଼ିଶାରେ କରୋନାକୁ ବର୍ଷେ

0

ବ୍ରହ୍ମପୁର : ଗଞ୍ଜାମର ବ୍ରହ୍ମପୁର ସହରରେ କରୋନା ସଂକ୍ରମଣରେ ୬୯ଜଣଙ୍କ ଜୀବନ ଯାଇଥିବାବେଳେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନର ଦୃଢ଼ ପଦକ୍ଷେପ ଯୋଗୁଁ ସୁସ୍ଥ ହାର ୯୮ ପ୍ରତିଶତ ରହିଥିଲା।

ବ୍ରହ୍ମପୁର ସହରରେ ମାର୍ଚ୍ଚ ଶେଷ ସପ୍ତାହରୁ କରୋନା କଟକଣା ଲାଗୁ ହୋଇଥିଲା। ଏପ୍ରିମ ମାସ ସାରା ଏଭଳି କଟକଣା ରହିଥିଲା। ଏପ୍ରିଲ ୧୨ତାରିଖରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କରୋନା ପରୀକ୍ଷା ଆରମ୍ଭ ହୋଇଥିଲା। ମେ ମାସରେ ସୁରତରୁ ଶ୍ରମିକ ଫେରିବା ପରେ ବ୍ରହ୍ମପୁରରେ କରୋନା ପଜିଟିଭ୍‌ ଚିହ୍ନଟ ଆରମ୍ଭ ହୋଇଥିଲା। ମେ ୧୫ ତାରିଖରେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମ ୭ନମ୍ବର ୱାର୍ଡ଼ ପୁରୁଣା ବ୍ରହ୍ମପୁରର ଶଙ୍କରପୁର ସାହିକୁ ସିଲ୍‌ କରାଯାଇଥିଲା। ବିଏମ୍‌ସି ତରଫରୁ ଏହି ସାହିକୁ ପ୍ରଥମ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ମେ ୨୨ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ରହିଥିଲା। ଟ୍ରେନ୍‌ରୁ ଓହ୍ଲାଉଥିବା ଶ୍ରମିକଙ୍କ ସ୍କ୍ରନିଂ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଟ୍ରେନ୍‌ଟି ଷ୍ଟେସନ୍‌ ପହଞ୍ଚିବା ପୂର୍ବରୁ ଲୋକେ ଚେନ୍‌ ଟାଣି ରାସ୍ତାରେ ଓହ୍ଲାଇ ନିଜ ନିଜ ଘରକୁ ଚାଲି ଯାଇଥିବା ଘଟଣା ଦେଖିବାକୁ ମିଳିଥିଲା। ସଂକ୍ରମଣ ବଢ଼ିବାରେ ଏହା ଏକ ପ୍ରମୁଖ କାରଣ ଥିଲା। ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ପ୍ରଶାସନ ତରଫରୁ ଜୁଲାଇ ୯ତାରିଖରୁ ୧ମାସ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି ସେବା ବନ୍ଦ ରଖାଯାଇଥିଲା। କେବଳ ଗୁରୁତର ରୋଗୀଙ୍କ ଚିକିତ୍ସା କରି ଅନ୍ୟ ରୋଗୀଙ୍କ ପାଇଁ ଟେଲି ମେଡିସିନ୍‌ ସେବା ଆରମ୍ଭ କରାଯାଇଥିଲା। ଲୋକଙ୍କ ଦାବି ପରେ ଅଗଷ୍ଟ ୧୫ତାରିଖରୁ ଓପିଡି ସେବା ପୁଣିଥରେ ଆରମ୍ଭ ହୋଇଥିଲା। ବ୍ରହ୍ମପୁର ବଡ଼ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ଆରମ୍ଭ କରାଯାଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଛି। ବ୍ରହ୍ମପୁର ସହରରେ ଜୁଲାଇ ୩ତାରିଖରେ କରୋନା ପଜିଟିଭ୍‌ ସଂଖ୍ୟା ଶହେ ଡେଇଁଥିଲା। ସଂକ୍ରମଣ ରୋକିବା ପାଇଁ ବ୍ରହ୍ମପୁର ମହାନଗର ପ୍ରବେଶ ପଥକୁ ଜୁଲାଇ ୧୩ତାରିଖରୁ ପ୍ରାୟ ୧ମାସ ପାଇଁ ସିଲ୍‌ କରାଯାଇଥିଲା। ଅତ୍ୟନ୍ତ ଜରୁରି କାମ ବ୍ୟତୀତ ଅନ୍ୟ କାହାକୁ ସହରରୁ ଛଡ଼ା ଯାଉ ନଥିଲା କି ସହରରେ ପ୍ରବେଶ ଅନୁମତି ଦିଆଯାଇ ନଥିଲା।

ଜୁଲାଇ ୧୯ତାରିଖରେ ବ୍ରହ୍ମପୁରରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧ହଜାର ଡେଇଁଥିଲା। ଜୁଲାଇ ୨୨ତାରିଖ ଦିନ ଜେଲ୍‌ରେ ୪୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ୩୫ଜଣ ଅନ୍ତେବାସୀ ରହିଥିବା ବେଳେ ୯ଜଣ କର୍ମଚାରୀ ରହିଥିଲେ। ବାଳ ସୁଧାର ଗୃହରେ ମଧ୍ୟ ୬୪ଜଣ ଅନ୍ତେବାସୀ ପଜିଟିଭ୍‌ ହୋଇଥିଲେ। ଏବେ ଟିକାକରଣ ଜାରି ରହିଥିଲେ ସୁଦ୍ଧା କରୋନାର ଭୟ ଲୋକଙ୍କ ମନରୁ ହଟିନାହିଁ।

Leave A Reply

Your email address will not be published.