ପାକିସ୍ତାନରେ ଆତଙ୍କ ଖେଳାଉଛି କରୋନା ମହାମାରୀର ତୃତୀୟ ଲହର

0

ଲାହୋର: ପାକିସ୍ତାନରେ କରୋନା ମହାମାରୀର ତୃତୀୟ ଲହର ଦେଖିବାକୁ ମିଳିଛି । ଏହାରି  ମଧ୍ୟରେ ପଞ୍ଜାବ ପ୍ରଦେଶର ୭ଟି ସହରରେ ପୁନଃ ଲକଡାଉନ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଲକଡାଉନ୍ ସୋମବାର ଠାରୁ କାର୍ଯ୍ୟକାରୀ ହେବ । ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କାହାକୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବ ନାହିଁ ।

ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ଶନିବାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଲାହୋର, ରାୱଲପିଣ୍ଡି, ସରଗୋଧା, ଫୈସଲାବାଦ, ମୁଲତାନ, ଗୁଜରାନୱାଲା ଏବଂ ଗୁଜୁରାତରେ ଏହି ଲକଡାଉନ୍ ଲାଗୁ ହେବ । ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ଏହି ଲକଡାଉନ୍ ଦୁଇ ସପ୍ତାହ ପାଇଁ ଲାଗୁ କରାଯାଇଛି । ଏହା ପରେ ପରିସ୍ଥିତିର ମୂଲ୍ୟାଙ୍କନ କରାଯିବ ଏବଂ ଏହା ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ସରକାରଙ୍କ ବିବୃତ୍ତି ଅନୁଯାୟୀ ଲକଡାଉନ ସମୟରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବ । ଯେ କୌଣସି ସ୍ଥାନରେ, ସର୍ବସାଧାରଣ କିମ୍ବା ବେସରକାରୀ ସାମାଜିକ, ଧାର୍ମିକ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସମସ୍ତ ପ୍ରକାରର ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ଏହି ସମୟ ମଧ୍ୟରେ ବାଙ୍କୁଏଟ ହଲ୍, କମ୍ୟୁନିଟି ହଲ୍ ଏବଂ ବଜାର ମଧ୍ୟ ବନ୍ଦ ରହିବ । ଲୋକଙ୍କ ଇନଡୋର ଏବଂ ଆଉଟ ଡୋର ଭୋଜୀ ଉପରେ ମଧ୍ୟ ନିଷେଧାଦେଶ ରହିବ ।

ଏହି ସମୟ ମଧ୍ୟରେ ହୋମ୍ ଡେଲିଭରୀକୁ ଅନୁମତି ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି । ଲକଡାଉନ ସମୟରେ ସମଗ୍ର ରାଜ୍ୟରେ ସମସ୍ତ ପ୍ରକାର କ୍ରୀଡା, ସାଂସ୍କୃତିକ ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ଏହାପୂର୍ବରୁ ପଞ୍ଜାବ ସରକାର ଲାହୋର ସମେତ ତିନୋଟି ସହରର ୩୬ ଟି ଅଞ୍ଚଳରେ ସ୍ମାର୍ଟ ଲକଡାଉନ ଲାଗୁ କରିଛନ୍ତି ।

Leave A Reply

Your email address will not be published.