ନୂଆଦିଲ୍ଲୀ : କରୋନା ଟିକାକରଣ ମାମଲାରେ ମଙ୍ଗଳବାର ଦେଶ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଗୋଟିଏ ଦିନରେ ସବୁଠୁ ଅଧିକ ଟିକା ଲଗାଇବାର ପୂର୍ବ ରେକର୍ଡକୁ ଭାଙ୍ଗିଛି ଭାରତ। ମଙ୍ଗଳବାର ଦେଶରେ ପ୍ରାୟ ଏକ କୋଟି ୯ ଲକ୍ଷ ଲୋକେ ଟିକା ନେଇଛନ୍ତି। କେବଳ ପାଞ୍ଚ ଦିନ ଭିତରେ ଦ୍ଵିତୀୟ ଥର ଦେଶରେ ଏକ କୋଟିରୁ ଅଧିକ ବ୍ୟକ୍ତି କରୋନା ଟିକା ନେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅନୁଯାୟୀ, ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୧ କୋଟି ୮ ଲକ୍ଷ ୮୩ ହଜାର ୯୬୩ ଜଣ କରୋନା ଟିକା ନେଇ ସାରିଥିଲେ।ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ୬୫ କୋଟି ଡୋଜ୍ ନେଇ ସାରିଛନ୍ତି। ଦେଶର ୫୦ କୋଟି ଜନତା କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଦେଶରେ ଟିକାର ନୂତନ ରେକର୍ଡ ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତଙ୍କୁ ଭ୍ୟାକ୍ସିନ, ମାଗଣାରେ ଭ୍ୟାକ୍ସିନ ଅଭିଯାନ ଆଧାରରେ ଆଜି ଏକ କୋଟି ନଅ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏଥିସହ ଦେଶ ଟିକାକରଣରେ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି।
ଏହା ପୂର୍ବରୁ ଅଗଷ୍ଟ ୨୭ରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ଲଗାଇଥିଲେ। ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ପ୍ରଥମ ଥର ଦେଶ ଏହି ସଫଳତା ହାସଲ କରିଥିଲା।