ପାଣିରେ ବୁଡ଼ି ରହିଛି ପୁରା ସହର

0

ଜୟପୁର : ରାଜସ୍ଥାନରେ ପ୍ରବଳ ବର୍ଷା ହେତୁ ପାହାଡ ପାଦଦେଶରେ ଅବସ୍ଥିତ ବୁନ୍ଦି ସହର ପାଣିରେ ବୁଡ଼ି ଯାଇଛି। ବର୍ଷାର ରୁଦ୍ର ରୂପ ଦେଖି ଲୋକେ ଶିହରି ଉଠିଲେଣି। ବୁନ୍ଦି ଜିଲ୍ଲାରେ ଲଗାତାର ବର୍ଷା ହେତୁ ନଦୀଗୁଡିକର ଜଳ ସ୍ଥର ବଢ଼ିବାରେ ଲାଗିଛି। ନଦୀ ଓ ଡ୍ରେନରେ ଏତେ ମାତ୍ରାରେ ପାଣି ଜମା ହୋଇଛି ଯେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୁନ୍ଦି ଜିଲ୍ଲାରେ ପ୍ରତିବର୍ଷ ଭଲ ବର୍ଷା ହୁଏ। କିନ୍ତୁ ଏଥର ଲୋକମାନେ ଭୟଙ୍କର ବର୍ଷା ଦେଖି ଭୟଭୀତ ହୋଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ସହରର ପ୍ରତି କୋଣ ଜଳମଗ୍ନ ହୋଇଛି। ମନ୍ଦିର, ଘର ସବୁ ପାଣି ଘେରରେ ରହିଛି। ତେବେ ବର୍ଷା ଯୋଗୁଁ ପାଗ ଭଲ ରହିଛି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋରମ ନଜର ଆସୁଛି। କିନ୍ତୁ ଅତ୍ୟଧିକ ପାଣି ଯୋଗୁଁ ପ୍ରଶାସନ ଓ ସାଧାରଣ ଜନତା ମଧ୍ୟ ଚିନ୍ତାରେ। ଜନଜୀବନ ବ୍ୟାହତ ହୋଇପଡିଛି। ଘରଗୁଡିକ ପାଣିରେ ଏମିତି ବୁଡି ରହିଛି ଯେ ଲୋକେ ଘରୁ ବାହାରି ପାରୁନାହାନ୍ତି, ଘରେ କଏଦ ହୋଇ ରହିଛନ୍ତି। ସାରା ସହରରେ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇଛି। ଲୋକେ କେବଳ ଚାହିଁ ରହିଛନ୍ତି। ପାଣି ଘେରରେ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି। ଜୀବଜନ୍ତୁ ଏପଟ ସେପଟ ହୋଇ ଆଶ୍ରୟ ଟିକେ ଖୋଜୁଛନ୍ତି କିନ୍ତୁ ମିଳୁନି। ଯୁଆଡେ ଚାହିଁଲେ ସବୁଠି ପାଣି।

ସହରର କିଛି ଗଳିକନ୍ଦିରେ ଘରର ଝରକା ଯାଏଁ ପାଣି ଜମା ହୋଇଛି। ଘରର ଆସବାବପତ୍ର ପାଣିରେ ଭାସୁଛି। ସ୍ଥିତି ଏମିତି ହୋଇପଡିଛି ଯେ ଲୋକେ ଘର ଭିତରେ ପଶିଥିବା ପାଣି ବି ବାହାର କରି ପାରୁନାହାନ୍ତି। ଜଳମଗ୍ନ ଏହି ସହରକୁ ଦେଖି ପ୍ରଶାସନର ବି ମୁଣ୍ଡ ଗୋଲ। ଲୋକେ ବର୍ତ୍ତମାନ ଭଗବାନଙ୍କ ଭରସାରେ।

Leave A Reply

Your email address will not be published.