ପରୀକ୍ଷାଫଳ ସନ୍ତୋଷଜନକ ନହେବାରୁ ଆମ୍ବଗଛରେ ଝୁଲିପଡିଲେ ଛାତ୍ର

0

ଭଞ୍ଜନଗର: ଚଳିତ ବର୍ଷ ବିନା ପରୀକ୍ଷାରେ ମାଟ୍ରକ୍‌ ପରୀକ୍ଷାଫଳ ପ୍ରକାଶ ପାଇଛି । ରାଜ୍ୟର ୯୮ ପ୍ରତିଶତ ଉପରେ ରେଜଲ୍ଟ ହୋଇଛି । ଯେଉଁମାନେ ପରୀକ୍ଷା ଫଳକୁ ନେଇ ଖୁସି ନାହାନ୍ତି ସେମାନେ ପୁଣି ପରୀକ୍ଷା ଦେବାର ସୁଯୋଗ ରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ପରୀକ୍ଷାଫଳ ସନ୍ତୋଷଜନକ ନହେବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସନ୍ଧିପଲ୍ଲୀ ଗ୍ରାମର ପଦ୍ମନାଭ ସ୍ୱାଇଁଙ୍କ ପୁଅ ଆଶାରାମ । ୩୧୨ ନମ୍ବର ରଖି ପାସ୍‌ କରିଛନ୍ତି ଆଶାରାମ । ପରୀକ୍ଷାଫଳକୁ ନେଇ ଅସନ୍ତୋଷ ରହିଥିବାବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାଶଙ୍କ ଠାରୁ ସୂଚନା ମିଳିଛି ।

 

ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପର ଠାରୁ ଭାଙ୍ଗି ପଡ଼ିଥିଲେ ଆଶାରାମ । ଶନିବାର ନିଜ ଘର ପାଖ ଦେଇ ଯାଇଥିବା ସାବୁଳିଆ କେନାଲ ପାଖ ଏକ ଆମ୍ବଗଛରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ଜଣାପଡ଼ିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଆଶାରାମଙ୍କ ଦାଦା ଅରୁଣ ସ୍ୱାଇଁଙ୍କ ରିପୋର୍ଟ ଆଧାରରେ ଗାଙ୍ଗପୁର ପୁଲିସ ୧୧/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଉଦ୍ଧାର କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତାଦହ ହସ୍ତାନ୍ତର କରିଥିବା ଥାନା ଅଧିକାରୀ କହିଛନ୍ତି । ଉପଯୁକ୍ତ କାଉନ୍‌ସେଲିଂ ଅଭାବରୁ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ର ଏଭଳି ଚରମ ନିଷ୍ପତ୍ତି ନେବା ଘଟଣା ସଭ୍ୟ ସମାଜକୁ ହତଚକିତ କରିଛି । ନିଜ ସହପାଠୀମାନେ ତାଙ୍କ ଠାରୁ ଅପେକ୍ଷାକୃତ ଅଧିକ ନମ୍ବର ରଖି ପାସ୍‌ କରିଥିବା ଘଟଣା ଆଶାରାମଙ୍କୁ ଅଧିକ ବ୍ୟଥିତ କରିଥାଇପାରେ ବୋଲି ଥାନା ଅଧିକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.