ପଶୁପକ୍ଷୀଙ୍କୁ କରୋନା :ମଣିଷମାନଙ୍କ ଠାରୁ ଅଧିକ ପଶୁପକ୍ଷୀ କରୋନା ଆକ୍ରାନ୍ତ ହେବାର ଆଶଙ୍କା

0

ଭୁବନେଶ୍ବର: ହାଇଦ୍ରାବାଦର ଚିଡ଼ିଆଖାନାରେ ୮ଟି ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ପ୍ରଥମ କରି ବନ୍ୟପ୍ରାଣୀ କରୋନା ସଂକ୍ରମିତ ହେବା ଖବର ଆସିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଆଗକୁ ମଣିଷରୁ ଅଧିକରୁ ଅଧିକ ପଶୁପକ୍ଷୀ କରୋନା ଆକ୍ରାନ୍ତ ହେବା ଆଶଙ୍କା ରହିଛି । ଏପରିକି ବନ୍ୟପ୍ରାଣୀରୁ ବି ମଣିଷ ସଂକ୍ରମିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେଣୁ ସଜାଗ ହୋଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ସମସ୍ତ ରାଜ୍ୟର ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖି ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି ।

କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ମଣିଷ-ପଶୁଙ୍କ ମଧ୍ୟରେ କରେନା ସଂକ୍ରମଣ ଶୃଙ୍ଖଳ ରୋକିବା ପାଇଁ ପ୍ରଥମେ ସମସ୍ତ ଚିଡ଼ିଆଖାନା, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯିବା ଦରକାର । ପଶୁପକ୍ଷୀଙ୍କ ଦାୟିତ୍ୱରେ ଥିବା ବନ କର୍ମଚାରୀଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା କରାଯାଉ । ରିପୋର୍ଟ ନେଗେଟିଭ୍‌ ଥିଲେ ସଂପୃକ୍ତ କର୍ମଚାରୀ ମାସ୍କ ପିନ୍ଧିବା ସହ ଉନ୍ନତମାନର ପିପିଇ କିଟି ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ବନ୍ୟପ୍ରାଣୀ ଦିଆଯାଉଥିବା ମାଂସ ଆଦି ଖାଦ୍ୟକୁ ପ୍ରଥମେ ୧୦ ମିନିଟ ପର୍ଯ୍ୟନ୍ତ ପାଣିରେ ଗରମ କରି ଦେବା ଦରକାର । ସ୍ଥିତିର ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଏଥିରେ ପଶୁ ଡାକ୍ତରଙ୍କ ସହ କିଛି କର୍ମଚାରୀ ରହିବେ । ବର୍ତ୍ତମାନ ଓଡ଼ିଶାରେ ଚିଡ଼ିଆଖାନା ଓ ଇକୋ ଟୁରିଜିମ ସ୍ଥାନକୁ କାହାରିକୁ ଛଡ଼ାଯାଉନି । ଚିଡ଼ିଆଖାନା କର୍ମଚାରୀମାନେ ମଧ୍ୟ କୋଭିଡ୍‌ ନିୟମ ମାନି ନିଜ କାମ କରୁଛନ୍ତି ବୋଲି ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ କହିଛନ୍ତି, ନ୍ୟୁୟର୍କରେ ଏକ ବାଘ କରୋନା ସଂକ୍ରମିତ ହୋଇଥିଲା । ଏବେ ହାଇଦ୍ରାବାଦରେ ସିଂହ ସଂକ୍ରମିତ ହୋଇଛନ୍ତି । ତେଣୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବନ୍ୟପ୍ରାଣୀଙ୍କୁ ଖାଦ୍ୟ ଦେବା ଓ ଯତ୍ନ ନେବାବେଳେ ମାସ୍କ, ଗ୍ଲୋବସ ପିନ୍ଧିବା ଜରୁରୀ । ସେହିପରି ଘରେ ରହୁଥିବା ପଶୁମାନଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେବାକୁ ହେବ । ବିଶେଷ କରି ଯଦି କେହି ପଜିଟିଭ୍‌ ଚିହ୍ନଟ ହୋଇଥାନ୍ତି, ତେବେ ସଂପୃକ୍ତ ବ୍ୟକ୍ତି ନିଜ ଗୃହପାଳିତ କୁକୁର ଓ ବିଲେଇ ଆଦିଠାରୁ ଦୂରେଇ ରହିବା ଦରକାର । ଏଭଳି ନଜିର ମିଳିନଥିଲେ ମଧ୍ୟ ସତର୍କତା ଜରୁରୀ ।

Leave A Reply

Your email address will not be published.