ପ୍ରଭୁ କଲେ ମାନଭଞ୍ଜନ, ଦ୍ବାର କିଳିଲେ ମା’ ଲକ୍ଷ୍ମୀ

0

ପୁରୀ : ଦୀର୍ଘ ୧୩ ଦିନର ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡ଼ିଛନ୍ତି ମହାବାହୁ। ହେଲେ ରତ୍ନ ସିଂହାସନ ପହଞ୍ଚିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା ଲକ୍ଷ୍ମୀ ଠାକୁରାଣୀଙ୍କ କୋପର ଶୀକାର ହେବାକୁ ପଡ଼ିଛି। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଚାଲିଗଲେ, ଅଥଚ ତାଙ୍କୁ କିଛି ଜଣାଇଲେ ନାହିଁ। ଏହାକୁ ନେଇ ଲକ୍ଷ୍ମୀ ଠାକୁରାଣୀଙ୍କ ଅଭିମାନ କରିଛନ୍ତି। ସିଂହଦ୍ୱାରଠାରୁ ମହାପ୍ରଭୁ ମା’ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥିଲେ ମଧ୍ୟ ଭକ୍ତଙ୍କ ଗହଳିରେ ଥିବାରୁ ମା’ ସାଆନ୍ତାଣି କିଛି କହି ନଥିଲେ। କେବଳ ଚାହାଣୀ ମଣ୍ଡପରେ ଟିକେ କଣେଇ ଚାହିଁ ମନ୍ଦିର ଭିତରକୁ ଚାଲି ଆସି ଜୟ-ବିଜୟ ଦ୍ୱାର ନିକଟରେ ଅପେକ୍ଷା କରିଥି‌ଲେ। ଆଉ ଯେତେବେଳେ ସୁଯୋଗ ପାଇଲେ, ଅଭିମାନିନୀ ମା’ ସବୁ ମାନ-ଅଭିମାନ ମହାପ୍ରଭୁଙ୍କ ଉପରେ ଅଜାଡ଼ି ପକାଇଛନ୍ତି।

ମହାପ୍ରଭୁ ପହଣ୍ଡିରେ ଯାଇ ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିବା ବେଳକୁ ଦ୍ୱାର ବନ୍ଦ ରହିଛି। ମହାଲକ୍ଷ୍ମୀ କବାଟ ଆରପାଖେ ଥାଇ ‘’ଏତେ ଦିନ ବାହାରେ ରହିଲ, ଆଉ ଏ ବିରହିଣୀ କୁଟୀରରେ କାମ କ’ଣ? ବୋଲି ହି ପ୍ରଶ୍ନ କରିଛନ୍ତି। ମହାପ୍ରଭୁ ଜଗତର ନାଥ। ତାଙ୍କୁ ବା ମା’ ଲକ୍ଷ୍ମୀଙ୍କ କୋପ କଥା ଅଛପା ରହିବ କିପରି! ପୂର୍ବରୁ ପ୍ରସ୍ତୁତ ଥିବା ମହାପ୍ରଭୁ କାଳ ବିଳମ୍ୱ ନ କରି କହିଛନ୍ତି,‘କବାଟ ମୁପ୍ତାଟୟ ସିନ୍ଧୁ କନ୍ୟକେ, ସମର୍ପୟାମୀ ସୁବିଚିତ୍ରମମ୍ୱର’। ଅର୍ଥାତ୍,‘ହେ ଦେବୀ, ଅଭିମାନ କରନାହିଁ। ଭକ୍ତମାନଙ୍କୁ ଆଲିଙ୍ଗନ କରିବାକୁ ମୁଁ ପରା ଘୋଷଯାତ୍ରା କରିଥିଲି। ତୁମେ କ’ଣ ଜାଣିନାହିଁ, ରତ୍ନ ସିଂହାସନରେ ମୋତେ ଭକ୍ତଗଣ ସ୍ପର୍ଶ କରନ୍ତି ନାହିଁ। ମୋ ଭକ୍ତମାନଙ୍କ କଥା ତୁମେ କ’ଣ ବୁଝିବନି। ତୁମେ ପରା ଉଦାର ହୃଦୟ। ତଥାପି ତୁମ କଥା ଭୁଲିନାହିଁ। ନୂଆ ପାଟ ଆଣିଛି, ଗହଣା ବି ଆଣିଛି। ଏବେ ମାନ ଭଞ୍ଜନ କର ହେ ଦେବୀ କହି ଶ୍ରୀଜଗନ୍ନାଥ ବୁଝାଇଛନ୍ତି। ହେଲେ ଯିଏ ସକଳ ଐଶ୍ୱର୍ଯ୍ୟର ଦେବୀ ତାଙ୍କ ପାଇଁ ପୁଣି ଗହଣା ଆଉ ଶାଢ଼ୀ ! ଲକ୍ଷ୍ମୀ ଏହା ଶୁଣି ଆହୁରି ରାଗି ଯାଇଛନ୍ତି। ମହାପ୍ରଭୁ ପୁଣି ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ସମୟ ଦ୍ବାର ବାହାରେ ମହାପ୍ରଭୁଙ୍କୁ ଛିଡ଼ା ହେବା ଦେଖି ମା’ ଲକ୍ଷ୍ମୀଙ୍କର ହୃଦୟ ତରଳିବା ସହ କ୍ରୋଧ ଶାନ୍ତ ହୋଇଛି, ଆଉ ସେ ଜୟ-ବିଜୟ ଦ୍ୱାର ଖୋଲି ମହାବାହୁଙ୍କୁ ରତ୍ନବେଦି ବିଜେ କରିବାକୁ ଅନୁମତି ଦେଇଛନ୍ତି।

ଏଭଳି ଏକ ପାରିବାରିକ ମାନ-ଅଭିମାନ, ରାଗ-ରୁଷା ଆଉ ଭାବପ୍ରବଣତାର ଭାବାବେଗ ସୃଷ୍ଟି ହୋଇଛି ଶ୍ରୀମନ୍ଦିର ଜୟ-ବିଜୟ ଦ୍ୱାର ନିକଟରେ। ମହାପ୍ରଭୁ ପହଣ୍ଡିରେ ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିବା ପରେ ଏଭଳି ଏକ ନିଆରା ଲକ୍ଷ୍ମୀ-ନାରାୟଣ ବଚନିକା ହୋଇଛି। ମହାପ୍ରଭୁଙ୍କ ବାଡ଼ରୁ ଏହି ସେବାକୁ ଦଇତାପତି ସେବକ ସମ୍ପନ୍ନ କରିଥିଲେ। ପୂର୍ବରୁ ମା’ ଲକ୍ଷ୍ମୀଙ୍କ ବାଡ଼ରୁ ଦେବଦାସୀମାନେ ଏହି ସେବା ସମ୍ପନ୍ନ କରୁଥିଲେ। ଏବେ ଆଉ ଦେବଦାସୀ ନାହାନ୍ତି। ଏଣୁ ଭିତରଛ ମହାପାତ୍ର ଏହି ସେବା ସମ୍ପନ୍ନ କରିଛନ୍ତି। ଦାମ୍ପତ୍ୟ ଜୀବନର ଏହି ନିଆରା ବଚନିକା ଜଗନ୍ନାଥଙ୍କ ବାଡ଼ରୁ ସଂସ୍କୃତରେ ହୋଇଥିବା ବେଳେ ମହାଲକ୍ଷ୍ମୀଙ୍କ ବାଡ଼ରୁ ଓଡ଼ିଆରେ ହୋଇଛି। ନାରୀର ସମ୍ମାନ ଓ ନବବିବାହିତା ପତ୍ନୀର ମର୍ଯ୍ୟାଦାକୁ ଏହି ବଚନିକା ପ୍ରତିଫଳିତ କରୁଛି।

Leave A Reply

Your email address will not be published.