ପ୍ରେମ ପାଇଁ ଦେଶ ଛାଡିଥିଲେ ଏହି ପାକିସ୍ତାନୀ, ବିଶ୍ୱକପରେ କରିଥିଲେ ପଦାର୍ପଣ

0

ନୂଆଦିଲ୍ଲୀ :  ଇମ୍ରାନ ତାହିର କ୍ରିକେଟ ଦୁନିଆର ଏକ ପରିଚିତ ନାମ । ତାଙ୍କ ସ୍ପିନରେ ଅନେକ ଭଲ ବ୍ୟାଟସମ୍ୟାନ୍ ବାନ୍ଧି ହୋଇଯାନ୍ତି । ସେ ମୂଳତଃ ପାକିସ୍ତାନର ଅଟନ୍ତି । କିନ୍ତୁ ସେ ନିଜ ଦେଶ ଛାଡି ଦକ୍ଷିଣ ଆଫ୍ରିକା ଚାଲିଯାଇଥିଲେ । ଏଠାରେ ସେ କ୍ରିକେଟ ଖେଳି ନାଁ କମାଇଥିଲେ । ସେ ଆଜିର ଦିନ ଅର୍ଥାତ ମାର୍ଚ୍ଚ ୨୭, ୧୯୭୯ରେ ପାକିସ୍ତାନର ଲାହୋରରେ ଜନ୍ମଲାଭ କରିଥିଲେ । ଏବେସୁଦ୍ଧା ସେ ୫୩ଟି ଦଳ ପାଇଁ ଖେଳି ସାରିଛନ୍ତି ।

ସେ ନିଜ ପରିବାରର ସବୁଠାରୁ ବଡ ପୁଅ ଥିଲେ । ସେ ୧୯୯୮ରେ ପାକିସ୍ତାନ ତରଫରୁ ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିବା ବେଳେ ୬ଟି ମ୍ୟାଚରୁ ୭ ଓ୍ୱିକେଟ୍ ନେଇଥିଲେ । ଏହି ସମୟରେ ତାଙ୍କର  ସୁମୈୟା ଦିଲଦାର ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଜଣଙ୍କ ଭାରତୀୟ ଥିଲେ । ଇମରାନ ପାକିସ୍ତାନ ଯାଇଥିଲେ ମଧ୍ୟ ସୁମୈୟାଙ୍କ ସହ ସମ୍ପର୍କରେ ରହିଥିଲେ । ଏହାପରେ ଇମରାନ ଦକ୍ଷିଣ ଆଫ୍ରିକା ଚାଲିଯାଇଥିଲେ ଓ ସେଠାରେ ସୁମୈୟାଙ୍କୁ ବିବାହ କରିଥିଲେ ।

ଇମ୍ରାନ ସୁମୈୟାଙ୍କୁ ପାକିସ୍ତାନ ଯିବାକୁ କହିଥିଲେ କିନ୍ତୁ ସେ ମନା କରିଥିଲେ । ଏହାପରେ ଇମ୍ରାନ୍ ଦକ୍ଷିଣ ଆଫ୍ରିକାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେ ଦକ୍ଷିଣ ଆଫ୍ରିକାର ଜାତୀୟ ଦଳରେ ସାମିଲ ହେବା ପାଇଁ ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେ ୫ ବର୍ଷ ଧରି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ରାସ୍ତା କଠିନ ଥିଲେ ମଧ୍ୟ ସେ ହାର୍ ମାନିନଥିଲେ । ତାଙ୍କୁ ୨୦୧୦ରେ ଇଂଲଣ୍ଡ ବିପକ୍ଷ ସିରିଜରେ ସ୍ଥାନ ମଳିଥିଲା । କିନ୍ତୁ ପରେ ତାଙ୍କୁ ବାହାର କରାଯାଇଥିଲା । କାରଣ ସେ ଦକ୍ଷିଣ ଆଫ୍ରିକା ତରଫରୁ ଖେଳିବା ପାଇଁ ଯୋଗ୍ୟ ହୋଇନଥିଲେ ।

ପରେ ସେ ୨୦୧୧ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ଦଳ ତରଫରୁ ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ୍ ନେଇଥିଲେ । ଏହାପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ । ଏହାପରେ ସେ ଦଳରୁ ବାଦ୍ ପଡିଥିଲେ । କିନ୍ତୁ ୨୦୧୩ରେ ସେ ପାକିସ୍ତାନ ବିପକ୍ଷରେ ଦଳରେ ସାମିଲ ହେବା ପରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଦୁବାଇ ଟେଷ୍ଟର ପ୍ରଥମ ଇନିଂସରେ ୫ ଓ୍ୱିକେଟ୍ ନେଇଥିଲେ । ଏହାସହ ୨୦୧୬ରେ ସେ ଗୋଟିଏ ଦିନିକିଆରେ ୭ଟି ଓ୍ୱିକେଟ୍ ନେଇଥିଲେ । ଏହାସହ ସେ ସବୁଠାରୁ ଦ୍ରୁତ ୧୦୦ ଓ୍ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକା ବୋଲର ପାଲଟିଥିଲେ ।

Leave A Reply

Your email address will not be published.