ପ୍ରେମ ପାଇଁ ରକ୍ତପାତ: ବିଶ୍ୱାମିତ୍ରର ଟାଙ୍ଗିଆ ଚୋଟରେ କୃଷ୍ଣ ଗୁରୁତର

0

ସମ୍ବଲପୁର : ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି । ଯୁବତୀଙ୍କ ବାପର ଟାଙ୍ଗିଆ ଚୋଟରେ ପ୍ରେମିକର ଜଣେ ସମ୍ପର୍କିୟ ଗୁରୁତର ହୋଇଛନ୍ତି । ଯୁବତୀଙ୍କ ବାପାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିବା ବେଳେ ଘଟଣା ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ପ୍ରେମୀଯୁଗଳଙ୍କ ବିବାହ ପାଇଁ ରାଜି ହୋଇଛନ୍ତି ବୋଲି ପୁଲିସ କହିଛି । ଘଟଣା ଘଟିଛି ଧମା ଥାନା ବାଉଁଶେନମୁରା ଗାଁରେ । ଏସଂକ୍ରାନ୍ତରେ ଗାଁର ସରୋଜ କୁମାର ଭୋଇଙ୍କ ଅଭିଯୋଗ କ୍ରମେ ଧମା ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଝିଅର ବାପା ବିଶ୍ୱାମିତ୍ରକୁ କୋର୍ଟ ଚାଲାଣ କରିଛି ।

ପୁଲିସ୍‌ ସୂଚନାନୁସାରେ, ଗାଁର ଜଣେ ଯୁବକ ଓ ବିଶ୍ୱାମିତ୍ରଙ୍କ ଝିଅଙ୍କ ମଧ୍ୟରେ ପୂର୍ବରୁ ପରିଚୟ ଥିଲା । ଉଭୟେ ଏକାସାଙ୍ଗରେ ସ୍କୁଲ ଓ କଲେଜରେ ପଢ଼ିବା ମଧ୍ୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିଶ୍ୱାମିତ୍ର ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ । ପରିବାର ସହମତି ନମିଳିବାରୁ ଉକ୍ତ ପ୍ରେମୀଯୁଗଳ ଗତ ଶନିବାର ଘରୁ ବାହାରି ଯାଇଥିଲେ । ତାଙ୍କ ଝିଅକୁ ନେଇ ଉକ୍ତ ଗାଁର ସମ୍ପୃକ୍ତ ଯୁବକ କୁଆଡ଼େ ଚାଲିଯାଇଥିବା ବିଶ୍ୱାମିତ୍ର ଖବର ପାଇଥିଲେ । ବିଶ୍ୱାମିତ୍ର ରକ୍ତମୁଖା ହୋଇ ଉକ୍ତ ଯୁବକଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ପାଇନଥିଲେ । ଏହି ସମୟରେ ତାଙ୍କ ଭିଣୋଇ କୃଷ୍ଣଚନ୍ଦ୍ର ଶବର କ୍ଷେତରୁ ଘରକୁ ଫେରୁଥିଲେ । ବିଶ୍ୱାମିତ୍ର ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଚୋଟ ପକାଇଥିଲେ । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ଅଭିଯୋଗ ହେବାରେ ପୁଲିସ୍‌ ଏକ ମାମଲା ରୁଜୁ କରି ବିଶ୍ୱାମିତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପରେ ଗାଁରେ ଉଭୟ ପକ୍ଷକୁ ନେଇ ବୈଠକ ହେବା ସହ ପ୍ରେମୀଯୁଗଳଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.