ମୁମ୍ବାଇ : ଛୋଟ ପିଲାମାନେ ଅଳି କରିବା କିଛି ନୂଆ କଥା ନୁହେଁ। ବାପା-ମା ସେମାନଙ୍କ ଅଳି ଅଝଟକୁ ପୂରଣ କରିବା ପାଇଁ ସବୁ କିଛି କରନ୍ତି। ବହୁ ସମୟରେ ପିଲାମାନେ ପାଠ ପଢ଼ିବାକୁ ମଧ୍ୟ ନାରାଜ ହୁଅନ୍ତି। ପରେ ସେମାନଙ୍କୁ ବୁଝା ସୁଝା କରି ଅଭିଭାବକ ପାଠ ପଢ଼ିବାକୁ କୁହନ୍ତି। କିନ୍ତୁ ପାଠ ନପଢ଼ିବାରୁ ସାଢ଼େ ତିନି ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିଦେଲା ମା’। ମମତା ଭୁଲି ହତ୍ୟାକାରୀ ପାଲଟିଗଲା ମା’। ପରେ ନଜେ ମା’ ମଧ୍ୟ ଆତ୍ମହତ୍ୟ କରିଥିବା ଜଣାପଡ଼ିଛି। ଏ ସମସ୍ତ ଘଟଣା ଘଟିଥିବା ବେଳେ ଘରେ ମହିଳାଙ୍କ ମା-ବାପା ଉପସ୍ଥିତ ଥିଲେ ବୋଲି ପୋଲିସ କହିଛି।
ଏହି ଅଭାବନୀୟ ଘଟଣା ନାସିକ୍ର ପାଥର୍ଡୀ ଫାଟା ଅଞ୍ଚଳରେ ଘଟିଛି। ସୋମବାର ରାତି ୯.୩୦ରେ ମହିଳା ଜଣଙ୍କ ବେକରେ ଫାଶୀ ଲଗାଇ ଆତ୍ମହତ୍ୟ କରିଛନ୍ତି। ଏହା ପୂର୍ବରୁ ସେ ନିଜର ଛୋଟ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର କାରଣ ଛୋଟ ପିଲାଟି ଅନଲାଇନ୍ ଷ୍ଟଡି କରିବାକୁ ମନା କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳା ଜଣଙ୍କ ନିଜ ପୁଅକୁ ହତ୍ୟା କରିଛନ୍ତି । ଦୁଇ ଦୁଇଟି ଘଟଣା ଘଟିଥିବା ବେଳେ ଘରେ ମହିଳାଙ୍କ ବାପା-ମା ଉପସ୍ଥିତ ଥିଲେ।
ମା-ପୁଅଙ୍କ ଶବ ପାଖରେ ସୁଇସାଇଡ୍ ନୋଟ୍ ପାଇଛି ପୋଲିସ। ସେମାନଙ୍କ ମୃତ୍ୟୁ ପାଇଁ ଅନ୍ୟ କାହାକୁ ଦାୟୀ ନକରିବାକୁ ମହିଳାଜଣଙ୍କ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଜଣାପଡ଼ିଛି। ସେହିଭଳି ଅନ୍ୟ ଏକ ମାମଲା ନବୀ ମୁମ୍ବାଇରୁ ଆସିଛି। ପାଠ ପାଇଁ ଗାଳି କରିବାରୁ ନିଜ ମା’କୁ ହତ୍ୟା କରିଛି ୧୫ ବର୍ଷର ଝିଅ ।
ମା’ ର ତଣ୍ଟି ଚିପି ହତ୍ୟା କରିଛି ଝିଅ। ରବାଲେ ଥାନାଧିକାରୀଙ୍କ ଅନୁସାରେ, କିଶୋରୀଙ୍କୁ ତାଙ୍କ ବାପା-ମା ଡାକ୍ତର କରାଇବାକୁ ଚାହୁଁଥିଲେ। ନିଟ୍ ପରୀକ୍ଷା ପାଇଁ କୋଚିଂ କ୍ଲାସ୍ରେ ତାଙ୍କର ଆଡମିସନ୍ ମଧ୍ୟ କରାଇଥିଲେ। କିନ୍ତୁ ଝିଅ ମେଡିକାଲ ପଢ଼ିବାକୁ ଜମା ରାଜି ନଥିଲେ। ସେଥିପାଇଁ ମାଙ୍କ ସହିତ ତାଙ୍କର ସବୁ ବେଳେ ପାଟିତୁଣ୍ଡ ହେଉଥିଲା।