‘ପବ୍‌ଜି’ ଖେଳର ନିଶାରେ ନାବାଳକ

0

ପାରାଦୀପ: ‘ପବ୍‌ଜି’ ଖେଳର ନିଶା ପାରାଦୀପର ଏକ ପରିବାରକୁ ଏକ ପ୍ରକାର ତଳିତଳାନ୍ତ କରିଦେଇଛି । ଘଟଣାର ସବୁଠାରୁ ଚିନ୍ତା ଓ ଉଦ୍‌ବେଗଜନକ ଦିଗଟି ହେଲା, ପରିବାରର ୯ ବର୍ଷର ପୁଅ ଏକ ନାବାଳକ ଗ୍ୟାଙ୍ଗ୍‌ର ପାଲରେ ପଡ଼ି ଘରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା ଚୋରାଇ ନେଇଛି । ଆଉ ଏହି ସୁନାରୁ କିଛି ବ୍ୟାଙ୍କ୍‌ରେ ବନ୍ଧକ ପକାଇ, କିଛି ବିକି ଟଙ୍କା ଆଣି, ନିଜ ଅୟସ୍‌ ଆରାମରେ ଖର୍ଚ୍ଚ କରିଛନ୍ତି ଗହଣା ନେଇଥିବା ନାବାଳକ ଗ୍ୟାଙ୍ଗ୍‌ର ପରିବାର ଲୋକ । ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ଛାନ୍‌ଭିନ୍‌ କରିବାରୁ କିଛି ଗହଣା ଉଦ୍ଧାର ହୋଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ କିଛି ଗହଣା ବିକ୍ରି ହୋଇଥିବା ଜଣାପଡ଼ିଛି । ଜଣେ ନାବାଳକକୁ ମୋବାଇଲ୍‌ ଗେମ୍‌ର ମାୟାଜାଲରେ ଛନ୍ଦି ତାକୁ ପ୍ରଥମେ ଲୋଭ ଦେଖାଇ ଓ ପରେ ବ୍ଲାକ୍‌ମେଲ୍‌ କରି, ତାଙ୍କ ଘରୁ ସୁନାଗହଣା ହାତେଇନେବା ଭଳି ୨ସାଂଘାତିକ ଠକେଇ ଘଟଣା ଏବେ ପାରାଦୀପରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବିକ, ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ପଡ଼ିଆରେ ମିକ୍ସଚର୍‌ ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ୯ ବର୍ଷର ପୁଅ ସେହି ବଡ଼ପଡ଼ିଆ ଅଞ୍ଚଳରେ ଅଣ୍ଡା ଦୋକାନ କରିଥିବା ଜଣେ ଦୋକାନିଙ୍କ ଦୁଇ ନାବାଳକ ପୁଅ ଓ ପାରାଦୀପ ବନ୍ଦରରେ କାର୍ଯ୍ୟରତ ଜଣେ ମହିଳାଙ୍କ ନାବାଳକ ପୁଅ ସହିତ ବନ୍ଧୁତା କରିଥିଲେ । ଖଟିରେ ବସିବା ବେଳେ ଅନ୍ୟ ପିଲାମାନେ ମୋବାଇଲ୍‌ରେ ପବ୍‌ଜି ଗେମ୍‌ ଖେଳୁଥିବା ଦେଖି ଦେଖି ମିକ୍ସଚର ଦୋକାନିଙ୍କ ପୁଅଙ୍କର ମଧ୍ୟ ଉତ୍ସୁକତା ବଢ଼ିଥିଲା। ସେହି ଖଟିରେ ବସୁଥିବା ଅଣ୍ଡା ଦୋକାନିଙ୍କ ସାନ ପୁଅ ମୋବାଇଲ୍‌ରେ ଗେମ୍‌ ଖେଳିବାକୁ ହେଲେ ନୂଆ ମୋବାଇଲ୍‌ କିଣିବାକୁ ପଡ଼ିବ ଓ ସେଥିପାଇଁ ୧୩ ହଜାର ଟଙ୍କା ଦରକାର ବୋଲି ମିକ୍ସଚର ଦୋକାନିଙ୍କ ପୁଅକୁ କହିଥିଲା । ମିକ୍ସଚର ଦୋକାନିଙ୍କ ପୁଅ ଘରୁ ସନ୍ତର୍ପଣର ସହ ମା’ଙ୍କର ଗୋଟିଏ ସୁନା କାନଫୁଲ ନେଇ ଅଣ୍ଡା ଦୋକାନିଙ୍କ ସାନ ପୁଅକୁ ଦେଇଥିଲେ । ଅଣ୍ଡା ଦୋକାନିଙ୍କ ସାନ ପୁଅ ପବ୍‌ଜି’ ମାୟାଜାଲରେ…କାନଫୁଲ ବିକି ୧୩ ହଜାର ଟଙ୍କା ଦେଇ ଏକ ମୋବାଇଲ୍‌ କିଣି ମିକ୍ସଚର ଦୋକାନିଙ୍କ ପୁଅକୁ ଧରାଇଦେଇ ରିଚାର୍ଜ ପାଇଁ ଘରୁ ପୁଣି ଟଙ୍କା ଆଣିବାକୁ କହିଥିଲା ।

ଏ ଘଟଣା ସମ୍ପର୍କରେ ଅଣ୍ଡା ଦୋକାନିଙ୍କ ପତ୍ନୀ ଜାଣିପାରିଥିଲେ । ମିକ୍ସଚର ଦୋକାନିଙ୍କ ପୁଅ ପୁଣି ଘରୁ ସୁନା କାନଫୁଲ ଓ ଏକ ମୁଦି ନେଇ ଅଣ୍ଡା ଦୋକାନିଙ୍କ ସାନ ପୁଅକୁ ଦେଲେ । ଏଥର ଅଣ୍ଡା ଦୋକାନିଙ୍କ ପତ୍ନୀ କାନଫୁଲ ଓ ମୁଦିକୁ ନେଇ ଏକ ଘରୋଇ ବ୍ୟାଙ୍କ୍‌ରେ ବନ୍ଧା ପକାଇ ୬୦ ହଜାର ଟଙ୍କା ସୁନା ଋଣ ନେଇ ଆସିଥିଲେ । ଆଉ ସେଇ ଟଙ୍କାରେ ଏକ ଲାପ୍‌ଟପ୍‌ କିଣି ବଡ଼ପୁଅକୁ ଧରାଇ ଦେଇଥିଲେ । ମାତ୍ର ବଡ଼ପୁଅ ବି ମା’କୋଉଠୁ ଟଙ୍କା ପାଇଲେ ବୋଲି ସନ୍ଦେହ କରିଥିଲା । ଆଉ ଜାଣିବାକୁ ପାଇଥିଲା ଯେ ମିକ୍ସଚର ଦୋକାନିଙ୍କ ପୁଅ ହେଉଛି ସୁନା ଅଣ୍ଡାଦିଆ କୁକୁଡ଼ା । ଏହି ଘଟଣା ପରେ ସେ ନିଜେ ମିକ୍ସଚର ଦୋକାନିଙ୍କ ପୁଅକୁ ଡ଼କାଇ ମୋବାଇଲ୍‌ରେ ନୁହେଁ ବରଂ ଲାପଟପ୍‌ରେ ଗେମ୍‌ ଖେଳିବାକୁ ପ୍ରବର୍ତ୍ତାଇଥିଲା । ଆଉ କହିଥିଲା, ଲାପଟପ୍‌ରେ ଖେଳିବାକୁ ହେଲେ ଟଙ୍କା ଦରକାର ।

ଲୋଭ ଓ ପବ୍‌ଜି ଗେମ୍‌ର ମାୟାଜାଲରେ ପଡ଼ି ମିକ୍ସଚର ଦୋକାନିଙ୍କ ପୁଅ ଘରୁ ପୁଣି ତାଙ୍କ ମାଆଙ୍କର ସୁନା ଚୁଡ଼ି ପଟେ ଓ ଶଙ୍ଖା ଦୁଇପଟ ଆଣି ଅଣ୍ଡା ଦୋକାନିଙ୍କ ବଡ଼ ପୁଅକୁ ଦେଇଥିଲେ। ଏ ଖବର ପାଖ ପଡ଼ୋଶୀରେ ରହୁଥିବା ପାରାଦୀପ ବନ୍ଦରରେ କାର୍ଯ୍ୟରତ ଜଣେ ମହିଳାଙ୍କ କାନରେ ପଡ଼ିଲା । ତାଙ୍କ ନାବାଳକ ପୁଅ ଏବେ ମିକ୍ସଚର ଦୋକାନିଙ୍କ ପୁଅକୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କଲା । ତାକୁ ଗହଣା ନଦେଲେ ତା’ର କୀର୍ତ୍ତିକଳାପ ସବୁ ତାଙ୍କ ଘରେ ଜଣାଇଦେବ ବୋଲି କହି ଧମକାଇଲା । ଫଳରେ ମିକ୍ସଚର ଦୋକାନିଙ୍କ ପୁଅ ପୁଣି ଘରୁ ଏକ ସୁନାର ବ୍ରତ ଆଣି ମହିଳାଙ୍କ ପୁଅକୁ ଧରାଇଦେଲା । ହେଲେ ଗତକାଲି ହଠାତ୍‌ ମିକ୍ସଚର ଦୋକାନି ଓ ତାଙ୍କ ପତ୍ନୀ ଘରେ ସୁନା ଜିନିଷ ଖୋଜି ନପାଇବାରୁ ସେମାନଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା ।

ଘରେ କାନ୍ଦବୋବାଳି ପଡ଼ିଥିଲା । ବସ୍ତିର କିଛି ମୁରବି ଲୋକ ଏକାଠି ହୋଇ ଘଟଣାର ଖୋଳତାଡ଼ କରିବା ପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା । ହେଲେ ସୁନା ନେଇଥିବା ଦୁଇ ପରିବାର ଫେରାଇବାକୁ ରାଜି ହୋଇନଥିଲେ । ତେଣୁ ଏନେଇ ଥାନାରେ ଅଭିଯୋଗ କରାଗଲା । ଅଣ୍ଡା ଦୋକାନିଙ୍କ ପରିବାରରୁ କିଛି ସୁନା ଜିନିଷ ବରାମତ ହୋଇଥିବା ଜଣାପଡ଼ିଛି । କିଛି ବିକା ହୋଇଛି । ବ୍ୟାଙ୍କ୍‌ରେ ବନ୍ଧା ପଡ଼ିଥିବା ଆଉ କିଛି ସୁନା ଜିନିଷ ମୁକୁଳା ହୋଇନି । ସୁନା ବିକା ଟଙ୍କାରେ କିଣା ହୋଇଥିବା ଲାପ୍‌ଟପ୍‌ ଓ ମୋବାଇଲ୍‌ ଜବତ ହୋଇଛି । ଏପଟେ ଚାକିରିଆ ମହିଳାଙ୍କ ପୁଅ ସୁନା ବ୍ରତକୁ ନେଇ ଭୁବନେଶ୍ୱରରେ ବିକିଥିବା ଖବର ସାମ୍ନାକୁ ଆସିଛି । ପୁଲିସ ଏ ଘଟଣାକୁ ନେଇ ଜୋରଦାର ଖୋଳତାଡ଼ କରୁଥିବା ବେଳେ ଖୁବ୍‌ ଶୀଘ୍ର ସବୁ ସୁନା ଜିନିଷ ଉଦ୍ଧାର ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.