ନୂଆଦିଲ୍ଲୀ : ଭାରତୀୟ ସରଫା ବଜାରରେ ୨୬ ଜୁଲାଇ (ସୋମବାର)ରେ ସୁନା ଦାମ ବୃଦ୍ଧିପାଇଛି। ଏହି ଦର ବୃଦ୍ଧି ସହ ପ୍ରତି ୧୦ ଗ୍ରାମ ପ୍ରତି ସୁନା ୪୬,୫୦୦ ଟଙ୍କା ଅତିକ୍ରମ କରିଛି । ସେପଟେ ରୂପା ଦାମ୍ ମଧ୍ୟ ବଢ଼ିଛି। ଗତ ବ୍ୟବସାୟିକ ଦିନମାନଙ୍କରେ ଦିଲ୍ଲୀ ସରଫା ବଜାରରେ ସୁନା ୪୬,୫୮୪ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା ।
ଏହା ସହ ରୂପା କିଲୋ ପ୍ରତି ୬୫,୬୮୪ ଟଙ୍କାରେ ବନ୍ଦ ହୋଇଥିଲା। ସେହିଭଳି ଅନ୍ତର୍ଜାତୀୟ ବଜାରରେ ସୁନା ଦାମରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ରୂପା ଦରରେ ସେମିତି ପରିବର୍ତ୍ତନ ହୋଇ ନାହିଁ।
ସୁନାର ନୂଆ ଦାମ
ଦିଲ୍ଲୀ ସରଫା ବଜାରରେ ସୋମବାର ୧୦ ଗ୍ରାମ ସୁନା ଉପରେ ୧୬୯ ଟଙ୍କା ବଢ଼ିଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ନୂଆ ଦାମ ଆଜି ୪୬,୭୫୩ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ବନ୍ଦ ହୋଇଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ି ୧,୮୦୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଯାଇଛି। ଏହା ସହ ଡଲାର ତୁଳନାରେ ୪ ପଇସା ହ୍ରାସ ହୋଇଥିବା ବେଳେ ବ୍ୟବସାୟ ଆରମ୍ଭ ବେଳକୁ ଭାରତୀୟ ମୂଦ୍ରା ୭୪.୪୪ ସ୍ତର ଛୁଇଁଥିଲା ।
ରୂପା ଦର କେତେ ?
ଆଜି ରୂପା ଦାମ ମଧ୍ୟ ବୃଦ୍ଧିପାଇଛି। ଦିଲ୍ଲୀ ସରଫା ବଜାରରେ ସୋମବାର ରୂପା ଦାମ ୩୯୬ ଟଙ୍କା ବଢ଼ିଛି। ଏହା ସହ କେଜି ପ୍ରତି ରୂପା ୬୬,୦୮୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ରୂପା ଦାମରେ ସେମିତି ପରିବର୍ତ୍ତନ ହୋଇନାହିଁ।
କାହିଁକି ମହଙ୍ଗା ହେଲା ସୁନା ?
ଏଚଡିଏଫସି ସିକ୍ୟୁରିଟିଜ୍ର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି, ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବା ଏବଂ ଆମେରିକା ବଣ୍ଡର ୟିଲ୍ଡରେ ହ୍ରାସ ଯୋଗୁଁ ଗୋଲ୍ଡ ପ୍ରାଇସ୍ ବୃଦ୍ଧି ଘଟିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ିବା ଯୋଗୁଁ ତାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି ।