ପୁରୁଣା ନୋଟ୍ ଓ ମୁଦ୍ରା କିଣାବିକା ନେଇ ସତର୍କ କଲେ RBI

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲୋକଙ୍କୁ ପୁରୁଣା ନୋଟ୍ ଓ କଏନ ଆଦି କିଣାବିକା ପ୍ରସ୍ତାବରେ ନ ଫଶିବା ଲାଗି ସତର୍କ କରିଛନ୍ତି। ଏ ନେଇ ଏକ ବୟାନ ଜାରି କରାଯାଇଥିବା ବେଳେ କିଛି ତତ୍ୱ ଆରବିଆଇଙ୍କ ନାମ ନେଇ ଠକେଇ କରୁଥିବା ସୂଚିତ କରିଛନ୍ତି। ଏପରି ପୁଣା ନୋଟ୍ ଓ ମୁଦ୍ରାର କ୍ରୟ ବିକ୍ରୟ ପ୍ରତିଶ୍ରୁତି ଦେଇ ସେମାନେ ଲୋକଙ୍କଠାରୁ ଶୁଳ୍କ ଓ କର ବାହାନାରେ ଟଙ୍କା ଠକେଇ କରୁଛନ୍ତି। ସେମାନେ ଏଥିଲାଗି ଅନଲାଇନ ପ୍ଲାଟଫର୍ମର ମଧ୍ୟ ଉପଯୋଗ କରୁଛନ୍ତି। ଲୋକଙ୍କ ବିଶ୍ୱାସ ହେବା ଭଳି ସାମଗ୍ରୀ ଅପଲୋଡ କରି ନିଜ ଜାଲରେ ଫଶାଇବା ପରେ ଟଙ୍କା ଠକେଇ କରୁଛନ୍ତି। ତେବେ ଆରବିଆଇ ଏଭଳି କୌଣସି କାରବାର କରନ୍ତି ନାହିଁ ବୋଲି ଜାରି ବୟାନରେ ସ୍ପଷ୍ଟ କରିଦେଇଛନ୍ତି। ସେହିପରି ଆରବିଆଇ ତାଙ୍କ ପକ୍ଷରୁ କୌଣସି ସଂସ୍ଥା, ଫାର୍ମ ଅଥବା ବ୍ୟକ୍ତିବିଶେଷଙ୍କୁ ଶୁଳ୍କ ଅଥବା କମିଶନ ଆଦାୟ ଲାଗି କାହାରିକୁ ପ୍ରାଧିକୃତ କରିନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏପରି ତତ୍ୱଙ୍କ ପ୍ରତି ସାବଧାନ ରହିବା ଲାଗି ଆରବିଆଇ ଲୋକଙ୍କୁ ସତର୍କ କରାଇଛନ୍ତି। ସେମାନଙ୍କ କୌଣସି ପ୍ରକାର ବାହାନା, ପ୍ରଲୋଭନ ଅଥବା ପ୍ରବର୍ତ୍ତାଇବାରେ ନ ପଡିବା ଲାଗି ପରାମର୍ଶ ଦେଇଛନ୍ତି। ଏଣୁ ଲୋକେ ଯେପରି ଏପରି ତତ୍ୱଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା ଲାଗି କହିଛନ୍ତି।