ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଦିଲ୍ଲୀର ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ଏବଂ ଆଇସିୟୁ ବେଡ୍ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇସାରିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀର ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ନେଇ ସମୀକ୍ଷା କରାଯିବ ଏବଂ ଅଧିକ ବେଡ୍ର ବନ୍ଦୋବସ୍ତ କରାଯିବ।
ମନ୍ତ୍ରୀଙ୍କ ମତରେ ଦିଲ୍ଲୀର ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର ଏବଂ ବେଡ୍ ଖାଲିପଡ଼ିଛି। ଦୁଇ ତିନୋଟି ଘରୋଇ ହସ୍ପିଟାଲରେ ଆଇସିୟୁ ଫୁଲ ହୋଇଛି। ଖୁବଶୀଘ୍ର ଅଧିକ ବେଡ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବାହାର ରାଜ୍ୟର ସଂକ୍ରମିତ ମଧ୍ୟ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ନର୍ଦେନ୍ ରେଲ୍ଓ୍ବେ ହସ୍ପିଟାଲରେ ଗୋଟିଏ ବି ଆଇସିୟୁ ବେଡ୍ ଖାଲି ନାହିଁ । ଭେଙ୍କେଟେଶ୍ବର ହସ୍ପିଟାଲ , ସାଲିମାର ବାଗର ଫୋର୍ଟିସ୍ ହସ୍ପିଟାଲ ଏବଂ ମ୍ୟାକ୍ସ ହସ୍ପିଟାଲରେ ମଧ୍ୟ ଆଇସିୟୁ ବେଡ୍ ଉପଲବ୍ଧ ନାହିଁ ।
ଏମିତି ପ୍ରାୟ ସମସ୍ତ ହସ୍ପିଟାଲରେ ବେଡ୍ ଉପଲବ୍ଧ ନାହିଁ ବୋଲି ସୂଚନା ମିଳିଛି। ଦିଲ୍ଲୀ ସରକାରଙ୍କ ବାବା ଆମ୍ବେଦକର ହସ୍ପିଟାଲରେ ୯ ଆଇସିୟୁ ବେଡ୍ ଥିବା ବେଳେ ଏଥିରେ କରୋନା ସଂକ୍ରମିତ ଅଛନ୍ତି। ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ମଧ୍ୟ ଆଇସିୟୁ ବେଡ୍ ଉପଲବ୍ଧ ନାହିଁ। ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ଦିଲ୍ଲୀ କରୋନା ଆପ୍ରେ ୩୦ ମାର୍ଚ୍ଚ ସକାଳ ୧୧ରେ ମିଳିଥିବା ଡାଟା ଅନୁସାରେ କରୋନା ସଂକ୍ରମିତଙ୍କ ପାଇଁ ମୋଟ ୫୭୯୭ ବେଡ୍ ରହିଛି। ଯେଉଁଥିରୁ ଏବେ କେବଳ ୧୬୦୪ରେ ରୋଗୀ ଅଛନ୍ତି ଏବଂ ୪୧୯୩ ବେଡ ଖାଲି ପଡ଼ିଛି।
ଦିଲ୍ଲୀରେ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମୋଟ ୭୮୫ଟି ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ବେଡ୍ ଥିବା ବେଳେ ୨୫୫ ଜଣ ସଂକ୍ରମିତ ଭର୍ତ୍ତି ହୋଇଛନ୍ତି। ଅର୍ଥାତ ୫୩୦ ବେଡ୍ ଫାଙ୍କା ରହିଛି। ଏହା ସହ ଭେଣ୍ଟିଲେଟର ନଥିବା ମୋଟ ୧୨୨୫ ଆଇସିୟୁ ବେଡ୍ ଥିବା ବେଳେ ୩୭୨ ବେଡ୍ ଭର୍ତ୍ତି ଅଛି। ୮୫୩ ବେଡ୍ ଖାଲି ପଡ଼ିଥିବା କରୋନା ଆପ୍ରେ ଦେଖିବାକୁ ମିଳିଥିଲା।