ରାଜଧାନୀରେ ଡେଙ୍ଗୁ ଆତଙ୍କ
ଭୁବନେଶ୍ବର: ରାଜଧାନୀରେ ଏବେ ଡେଙ୍ଗୁ ଆତଙ୍କ। ସବୁଠି ମାଳ ମାଳ ରୋଗୀ। ସହରର ସବୁ ଅଞ୍ଚଳରେ ଡେଙ୍ଗୁ ମଶା ମାଡିଗଲେଣି। କିନ୍ତୁ ବିଏମ୍ସି ନିର୍ବିକାର। ତୁଚ୍ଛା ପ୍ରତିଷେଧକ ନାଁରେ ଗାଡି଼ରେ ବୁଲି ବୁଲି ଡେଙ୍ଗୁ ମଶାର ଲାର୍ଭା ଖୋଜୁଛି, ମଶା ଗଣୁଛି। ସେପଟେ ମଶା ମୁଣ୍ଡ ନେଇ ସାରିଲାଣି। ରାଜଧାନୀବାସୀଙ୍କୁ ମଶାଙ୍କ ଦଂଶନ ପାଇଁ ଛାଡ଼ି ଦେଇ ମରଣ ବାଟ ଦେଖାଉଛି। ବିଡ଼ମ୍ବନା ଯେ ନିଜ ଦାୟିତ୍ୱ ନ ତୁଲାଇ ଡେଙ୍ଗୁ ମାଡ଼ିବାର ଦୋଷ ନାଗରିକଙ୍କ ଉପରେ ଥୋଉଛି। ଡେଙ୍ଗୁ ଭୟରେ ସହରବାସୀ ତ୍ରାହି ତ୍ରାହି ଡାକିଲେଣି।
ଡେଙ୍ଗୁ ମଶା ବଂଶ ମାଡ଼ି ମାଡ଼ି ଚାଲିଛି।ମଙ୍ଗଳବାର ଦିନକରେ ସହରରୁ ପୁଣି ୩୦ ନୂଆ ରୋଗୀ ବାହାରିଛନ୍ତି। ସରକାରୀ ଭାବେ ମଙ୍ଗଳବାର ସୁଦ୍ଧା ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨୧ରେ ପହଞ୍ଚି ସାରିଲାଣି । ବେସରକାରୀ ହିସାବ ଏହାଠାରୁ ଯଥେଷ୍ଟ ଅଧିକ । ମୁଣ୍ଡ ଉପରେ କରୋନା ବିପଦ ଝୁଲୁଥିବା ବେଳେ ସେଥିରେ ଡେଙ୍ଗୁ ଲୋକଙ୍କ ନିଦ ହଜାଇ ଦେଲାଣି । ଖାଲି ଶୈଳଶ୍ରୀବିହାର କି ନୀଳାଦ୍ରିବିହାର ନୁହେଁ, ପୂରା ଭୁବନେଶ୍ୱରକୁ ଡେଙ୍ଗୁ ମଶା ନିଜ କବ୍ଜାକୁ ନେଇ ସାରିଲେଣି । ପୁରୁଣା ଭୁବନେଶ୍ୱର, ଭୀମଟାଙ୍ଗି, କଳ୍ପନା ଅଞ୍ଚଳ, ଏକାଧିକ ୟୁନିଟ୍ ଅଞ୍ଚଳରେ ଡେଙ୍ଗୁ ମଶାଙ୍କ ବଂଶ ବଢ଼ିଚାଲିଛି । ମଶା ନିୟନ୍ତ୍ରଣ କରିବାରେ ବିଏମ୍ସି ପୂରା ଫେଲ୍ ମାରିଛି। ବରଂ ଉଦ୍ଭଟ ଯୁକ୍ତି ରଖି ଲୋକଙ୍କ ଆଡ଼କୁ ଦୋଷ ଠେଲିଛି । ଲୋକେ ଘର ଛାତ ଉପରେ ଗାର୍ଡେନ୍ କରୁଛନ୍ତି । ସଚେତନ ହେଉନାହାନ୍ତି । ଡେଙ୍ଗୁ ମଶା ଡ୍ରେନ୍ କି ଅଳିଆ ଗଦାରେ ରୁହେନି । ସଫା ଜଳରେ ରୁହେ। ଏଥିପାଇଁ ଲୋକେ ଦାୟୀ ବୋଲି ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି । ତେବେ ଲୋକଙ୍କୁ ସଚେତନ କରିବା ଦାୟିତ୍ୱ କାହାର? ମଶା ନିୟନ୍ତ୍ରଣ ନାଁରେ ଆସୁଥିବା କୋଟି କୋଟି ଟଙ୍କା କୁଆଡେ ଯାଉଛି? ସହରବାସୀଙ୍କୁ ପରିମଳ ଓ ମଶା ଉପଦ୍ରବରୁ ରକ୍ଷା କରିବା ଦାୟିତ୍ୱ ବିଏମ୍ସି କାହିଁକି ନିଜ ମୁଣ୍ଡରୁ ଖସାଉଛି ବୋଲି ଲୋକେ ପ୍ରଶ୍ନ କଲେଣି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ତେଜିଲାଣି।
ସୋମବାର ଶୈଳଶ୍ରୀବିହାରରେ ଜଣେ ୧୫ ବର୍ଷୀୟ ନାବାଳିକା ଡେଙ୍ଗୁରେ ଆଖି ବୁଜିଲା । କିନ୍ତୁ ତାଙ୍କ ମୃତ୍ୟୁ କାରଣ ଲୁଚାଇବାକୁ ବିଏମ୍ସି ମସୁଧା ଆରମ୍ଭ କରିଦେଇଛି । ମଙ୍ଗଳବାର ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ନାବାଳିକାର ମୃତ୍ୟୁ ପଛର କାରଣ ଖୋଜିବାକୁ ତାଙ୍କ ଘରକୁ ଯାଇଥିଲା । ସେଠାରୁ ଫେରି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନାବାଳିକାକୁ ହୋମିଓପାଥି ଔଷଧ ଦିଆ ଯାଇଥିଲା । ଝିଅଟିର ପୂର୍ବରୁ ବାତ ରୋଗ ଥିଲା । ସେ ଯେଉଁଠି ପରୀକ୍ଷା କରିଥିଲେ ସେଠାରେ ଡେଙ୍ଗୁ ପରୀକ୍ଷା ପାଇଁ ସରକାରୀ ସ୍ୱୀକୃତି ନାହିଁ । କେବଳ ଏଲିସା ଟେଷ୍ଟ୍ ମାଧ୍ୟମରେ ଡେଙ୍ଗୁର ଠିକ୍ ରିପୋର୍ଟ ଜଣାପଡୁଛି । ରାପିଡ୍ ଟେଷ୍ଟ୍ରେ ଭୁଲ ରିପୋର୍ଟ ଆସୁଛି ବୋଲି ସେ ସଫେଇ ଦେଇ ଡେଙ୍ଗୁ ମୃତ୍ୟୁକୁ ଏକରକମ ଏଡ଼ାଇ ଯାଇଛନ୍ତି ।
ଡେଙ୍ଗୁ ଜ୍ୱରରେ ମୃତ ନାବାଳିକାଙ୍କୁ ସ୍ଥାନୀୟ ଏକ ଅଞ୍ଚଳରେ ଥିବା ଲାବ୍ରେ ପରୀକ୍ଷା କରାଯାଇଥିଲା । ତାଙ୍କର ଏନଏସ୍-୧ ରିପୋର୍ଟ ରିଆକ୍ଟିଭ୍ ଥିଲା । ଏନଏସ-୧ ରିପୋର୍ଟରେ ରିଆକ୍ଟିଭ୍ ଆସିଲେ ତାହା ଶତ ପ୍ରତିଶତ ଡେଙ୍ଗୁ ବୋଲି ଧରାଯିବ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । କିନ୍ତୁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଫାଙ୍କୁଛନ୍ତି । ଡେଙ୍ଗୁ ନିୟନ୍ତ୍ରଣରେ ଫେଲ୍ ମାରିବା ପରେ ଏବେ ଡେଙ୍ଗୁ ମୃତ୍ୟୁକୁ ଲୁଚାଇବାରେ ଲାଗି ପଡିଛନ୍ତି । ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି, ନାବାଳିକାର ମୃତ୍ୟୁ ଡେଙ୍ଗୁ ପ୍ରକୋପରେ ହୋଇଛି କି ନାହିଁ ତାହା ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରୁଛି । ସେମାନେ ଚୂଡାନ୍ତ ରିପୋର୍ଟ ଦେବେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ସହର ଜନସ୍ୱାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର ବି ସମାନ କଥା ଦୋହରାଇଛନ୍ତି । ଆସନ୍ତାକାଲି ଖୋର୍ଦ୍ଧାରୁ ଏକ ସ୍ୱାସ୍ଥ୍ୟ ଟିମ୍ ଆସିବ । ନାବାଳିକାକୁ ଯେଉଁଠି ଟେଷ୍ଟ୍ କରା ଯାଇଥିଲା ଓ ଯେଉଁ ହସ୍ପିଟାଲ ନିଆ ଯାଇଥିଲା ସେମାନେ ସେଠାକୁ ଯିବେ । ତଦନ୍ତ ପରେ ଏହା ଡେଙ୍ଗୁ ମୃତ୍ୟୁ କି ନାହିଁ ସ୍ପଷ୍ଟ କରାଯିବ । ଡେଙ୍ଗୁ ବେକାବୁ ସ୍ଥିତିରେ ପହଞ୍ଚିଥିବାବେଳେ ଘରକୁ ଘର ବୁଲି ସଚେତନତା ଜାରି ରହିଛି ବୋଲି ବିଏମ୍ସି ସ୍ପଷ୍ଟୀକରଣ ରଖିଛି । ଆଜି ସୁଦ୍ଧା ୪୯୯୧ଟି ଘରେ ବିଏମ୍ସି ଟିମ୍ ପହଞ୍ଚିଛି । ମୋଟ ୨୦ହଜାର ୩୫୦ ଲୋକଙ୍କ ପାଖରେ ପହଞ୍ଚି ସଚେତନ କରାଯାଇଛି । ୪୬୯ ସ୍ଥାନରେ ଡେଙ୍ଗୁ ଲାର୍ଭାକୁ ମାରିବା ସହ ୧୧୩୪ଟି ମଶା ଉତ୍ପତ୍ତିସ୍ଥଳକୁ ନଷ୍ଟ କରାଯାଉଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି ।