ରାଜଧାନୀରେ ଯୁବ କଂଗ୍ରେସ ଦେଖାଇଛି ଆକ୍ରୋଶ

0

ଭୁବନେଶ୍ୱର: ଛାତ୍ର କଂଗ୍ରେସର ‘କମ୍ପନ’ ପରେ ଆଜି ରାଜଧାନୀରେ ଯୁବ କଂଗ୍ରେସ ଆକ୍ରୋଶ ଦେଖାଇଛି । ସମାନ ପ୍ରସଙ୍ଗ, ସମାନ ଦାବିରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛି । ଆଉ ଦାବି କରିଛି, ବେରୋଜଗାରୀ ହଟାଅ, ଦରଦାମ କମାଅ । ନଚେତ୍‌ ଯୁବଗୋଷ୍ଠୀର ଆକ୍ରୋଶ ଆଗକୁ ମହଙ୍ଗା ପଡି଼ବ ।
ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ଆହ୍ୱାନରେ କଂଗ୍ରେସ କର୍ମୀ ବିଧାନସଭାକୁ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ଲୋୟରପିଏମ୍‌ଜିରେ ତୁମ୍ଭିତୋଫାନ କରିଛନ୍ତି । କଂଗ୍ରେସ କର୍ମୀଙ୍କ ହମ୍‌ଲାରେ ୨ଟି ବ୍ୟାରିକେଡ୍‌ ଚୁର୍‌ମାର ହୋଇଛି । ପୁଲିସ୍‌ ସହ ଧସ୍ତାଧସ୍ତିରେ ୧୫ କର୍ମୀ ଆହତ ହୋଇଛନ୍ତି । ଶ୍ରୀ ଶ୍ରୀନିବାସଙ୍କ ସହ ପ୍ରାୟ ୧୦୦ରୁ ଅଧିକ କର୍ମୀ ଗିରଫ ହୋଇଛନ୍ତି ।
କଂଗ୍ରେସ ଭବନଠାରେ ପୂର୍ବାହ୍ନ ସାଢ଼େ ୧୦ଟାରୁ “ଯୁବ ଆକ୍ରୋଶ ସମାବେଶ’ ଚାଲିଥିଲା । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା ଅଧ୍ୟକ୍ଷତାରେ କଂଗ୍ରେସ ନେତାମାନେ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରି ବର୍ଷିଥିଲେ । ଠିକ୍‌ ସାଢ଼େ ୧୨ଟାରେ ଏୟାରପୋର୍ଟରୁ ଏକ ବିରାଟ ବାଇକ୍‌ ରାଲିରେ ସେଠାରେ ପହଞ୍ଚିଥିଲେ କେନ୍ଦ୍ର ସଭାପତି ଶ୍ରୀ ଶ୍ରୀନିବାସ । ତାଙ୍କ ଉପସ୍ଥିତି ସମାବେଶରେ ଜୋସ୍‌ ଭରି ଦେଇଥିଲା ।
ଶ୍ରୀ ଶ୍ରୀନିବାସ ସିଧା ମୋଦି, ନବୀନଙ୍କୁ ଟାର୍ଗେଟ କରି ଢ଼େର୍‌ ବର୍ଷିଲେ । ସେ କହିଲେ, ବିଜେଡିର ୨୧ ବର୍ଷ ଶାସନ ଦେଖିଲୁ । ବିଜେପିର ୮ ବର୍ଷ ଶାସନ ଅଙ୍ଗେ ନିଭାଇଲୁ । କେନ୍ଦ୍ର ରିମୋର୍ଟରେ ରାଜ୍ୟ ସରକାର ନାଚୁଛନ୍ତି । ୨ ଦଳ ସଲାସୁତରା ଭରା ଶାସନରେ ଦେଶ ଏବେ ମହାସଙ୍କଟରେ । ଅଣାୟତ ବେରୋଜଗାରରେ ଯୁବପିଢ଼ିଙ୍କୁ ଟେନସନ ଦେଲାଣି । ଆକାଶଛୁଆଁ ଦରଦାମ ବୃଦ୍ଧି ଗରୀବ, ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଲାଣି ।
ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କହିଲେ, ବେରୋଜଗାରୀରେ ୧ ନମ୍ବର ସ୍ଥାନ ଅଧିକାର କରିବା ମୁଖ୍ୟମନ୍ତ୍ରୀଙ୍କର ପାରିବା ପଣିଆର ପ୍ରମାଣ ଦେଉଛି । କେନ୍ଦ୍ରର ୨ କୋଟି, ରାଜ୍ୟର ୩୫ ଲକ୍ଷ ଚାକିରି ପ୍ରତିଶ୍ରୁତି ଶିକ୍ଷିତ ଯୁବକଙ୍କ ପାଇଁ ପ୍ରତାରଣା ପାଲଟିଛି । ନବୀନ ସରକାରଙ୍କ ଉଦାସୀନତା ଯୁବ ସମାଜ ପ୍ରତି ଉପହାସ ବୋଲି ଶ୍ରୀ ଲେଙ୍କା ଅଭିଯୋଗ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ରୁଦ୍ର ରାଜୁ ମଧ୍ୟ କହିଥିଲେ ଯେ, ଶିକ୍ଷାର ଘରୋଇକରଣ ସହ ବ୍ୟବସାୟୀକରଣକୁ ଜୋର୍‌ ଦେଇ ରାଜ୍ୟ ସରକାର ଦଳୀୟ ପାଣ୍ଠି ଭରିବାରେ ବ୍ୟସ୍ତ । ୧୪ ହଜାର ସ୍କୁଲକୁ ବନ୍ଦ କରି ସାରିଲେଣି । ପୁରପଲ୍ଲୀରୁ ରାଜଧାନୀ ଯାଏଁ ଲଢ଼େଇ ହେବ ବୋଲି ଉଭୟେ ଚେତାବନୀ ଦେଇଥିଲେ ।
ଅପରାହ୍ଣ ସାଢ଼େ ୧ଟା ବେଳେ ଶ୍ରୀନିବାସଙ୍କ ଆହ୍ୱାନରେ ଏକ ହଜାରରୁ ଅଧିକ କର୍ମୀ ଏକାବେଳକେ ବିଧାନସଭା ଆଡ଼େ ମାଡିଚାଲିଲେ । କଂଗ୍ରେସ ଭବନଠୁ ଲୋୟରପିଏମ୍‌ଜି ଯାଏଁ ଦୌଡିଲେ । ପୁଲିସ ବନାଇଥିବା ୨ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ । ତୃତୀୟ ବ୍ୟାରିକେଡ ବେଳକୁ ପୁଲିସ ଫୋର୍ସକୁ ସାମ୍ନା କଲେ । ଢ଼େର୍‌ କିଛି ସମୟ ପାଇଁ ସେଠି ଠେଲାପେଲା ଓ ଧସ୍ତାଧସ୍ତି ଚାଲିଲା । କଂଗ୍ରେସ କର୍ମୀଙ୍କୁ ଜଗିବାରେ ପୁଲିସ ଆଣ୍ଠେଇ ପଡି଼ଥିଲା । ପରେ ପୁଲିସ୍‌ ବହୁ ନେତା, କର୍ମୀଙ୍କୁ ଲୋୟରପିଏମ୍‌ଜିରୁ ଉଠାଇ ନେଇ ଅଟକ ରଖିଥିଲା । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।
ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ମହମ୍ମଦ ମୋକିମ୍‌, ବିହାର ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, ଅଖିଳ ଭାରତ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ସୁଶ୍ରୀ ପ୍ରତିଭା ରଘୁଂଶୀ, ସମ୍ପାଦକ ରିୟାଜୁଲ୍‌ ଅନସାରୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଆନ୍ଦୋଳନର ମଙ୍ଗ ଧରିଥିଲେ ।

Leave A Reply

Your email address will not be published.