ରାଜଧାନୀରେ ମାତିଛନ୍ତି ହେଲମେଟ୍‌ ଲୁଟେରା

0

ଭୁବନେଶ୍ୱର : ହେଲ୍‌ମେଟ୍‌ ଦରକାର କି ? ଯୋଡ଼ାକୁ ମାତ୍ର ୪ ଶହ ଟଙ୍କା । ହାଫ୍‌, ଫୁଲ୍‌, ଲେଡିସ୍‌, ଜେଣ୍ଟସ୍‌ ସବୁ ଅଛି । ଯଦି ନେବାର ଅଛି ଆଉ ଟଙ୍କା ୫୦ଟା କାଟିଦେବି । ବାଣୀବିହାର ଛକର ରାସ୍ତା କଡ଼ରେ ହେଲମେଟ୍‌ ଥୋଇ ଏମିତି ରଡ଼ି କରି ଡାକୁଛନ୍ତି ଦୋକାନୀ । ଏତେ ଶସ୍ତାରେ ହେଲମେଟ୍‌ ବିକା ହେଉଥିବା ଦେଖି ଲୋକେ ଆକର୍ଷିତ ହେଉଛନ୍ତି । ଭଲମନ୍ଦ ନବୁଝି କିଣି ନେଉଛନ୍ତି । ହେଲେ ସେମାନେ ଯେ ଚୋରା ହେଲମେଟ୍‌ କିଣୁଛନ୍ତି ତାହା ଜାଣି ପାରୁନାହାନ୍ତି । ରାଜଧାନୀରେ ଦିନକୁ ପ୍ରାୟ ୨୦୦ରୁ ଅଧିକ ହେଲମେଟ୍‌ ଚୋରି ହେଉଛି । ସେହି ଚୋରା ଜିନିଷ ଏଭଳି ରାସ୍ତା କଡ଼ ଦୋକାନରେ ପହଞ୍ଚି ଯାଉଛି । ଅଧିକାଂଶ ଲୋକେ ହେଲମେଟ୍‌ ଚୋରି ହେଲେ ଥାନାରେ ଅଭିଯୋଗ କରୁନାହାନ୍ତି । ଏହାର ଭରପୂର ଫାଇଦା ନେଉଛନ୍ତି ଠାଉରିଆ ଚୋର ।
ସରକାର ଡବଲ ହେଲମେଟ୍‌ ବାଧ୍ୟତାମୂଳକ କରିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା । ଲୋକେ ୨ଗୁଣ ଫାଇନ୍‌ ଦବା ବଦଳରେ ହେଲମେଟ୍‌ କିଣିବା ଲାଗି ଦୋକାନମୁହାଁ ହେଲେ । ଏପରି କି କିଛି ବିବାହ, ଜନ୍ମଦିନରେ ଭଲ ବ୍ରାଣ୍ଡର ହେଲମେଟ ଉପହାର ଦେଲେ । ହେଲେ ସେମାନଙ୍କ ଚିନ୍ତା ବଢାଇ ଦେଇଛନ୍ତି ହେଲମେଟ୍‌ ଲୁଟେରା । ସହରର ଥିବା ବିଭିନ୍ନ ପାର୍କ,ହୋଟେଲ ଏବଂ ଧର୍ମାନୁଷ୍ଠାନ ପାଖରେ ସକ୍ରିୟ ହୋଇ ଉଠିଛନ୍ତି । ବିଶେଷ କରି ଯୁବଗୋଷ୍ଠୀ ପାର୍କରେ ଗାଡ଼ିରେ ହେଲମେଟ୍‌ ରଖୁଥିବା ବେଳେ ଚୋରି କରି ନେଉଛନ୍ତି । ସେପଟେ ୨ ଦୁଇଟି ହେଲମେଟ୍‌ ରଖିବା ପାଇଁ ଅସୁବିଧା ହେଉଥିବାରୁ ଲୋକେ ଗାଡ଼ିରେ ଟାଙ୍ଗି ପଳାଉଛନ୍ତି । ଫଳରେ ହେଲମେଟ୍‌ ଚୋରି କରିବା ସହଜସାଧ୍ୟ ହୋଇପଡ଼ିଛି । ଠିକଣା ସ୍ଥାନକୁ ଟାର୍ଗେଟ କରି ଦିନକୁ ପ୍ରାୟ ୨୦୦ ହେଲମେଟ୍‌ ଉଠାଉଛନ୍ତି ।

ଚୋରି ହେଲମେଟ୍‌କୁ ବୁଲା ବେପାରୀଙ୍କ ପାଖରେ ଖୁବ୍‌ କମ୍‌ ଦାମ୍‌ରେ ବିକ୍ରି କରୁଛନ୍ତି ଲୁଟେରା । ଭଲ ଲାଭ ରଖି ସେମାନେ ନାମୀଦାମୀ ବ୍ରାଣ୍ଡ୍‌ର ହେଲମେଟ୍‌ ଯୋଡ଼ା ୪ ଶହ ଟଙ୍କାରେ ବିକୁଛନ୍ତି । ରାଜଧାନୀର ବାଣୀବିହାର,ରାଜମହଲ, ସହିଦନଗର, ବରମୁଣ୍ଡା, ଚନ୍ଦ୍ରଶେଖରପୁର ଏବଂ ବରମୁଣ୍ଡାରେ ଚୋର ହେଲମେଟ୍‌ ବେପାର ଜୋର ଧରିଛି । ଏପରି କି ଚୋରି ହେଉଥିବା ଜାଗାରୁ ମାତ୍ର କେଇ ହାତ ଦୂରରେ କାରବାର କରି ଦେଉଛନ୍ତି । କୌତୁହଳର ବିଷୟ ଯେ, ହେଲମେଟ୍‌ ହରାଉଥିବା ଲୋକେ ପୁଲିସକୁ ୧୦୦୦ଟଙ୍କା ଫାଇନ୍‌ ଦେବା ଭୟ ଶସ୍ତା ଚୋରା ହେଲମେଟ୍‌ କିଣି ନେଉଛନ୍ତି । ସେପଟେ ହେଲମେଟ୍‌ ଚୋରି କଥା ଲୋକେ ପୁଲିସକୁ ଜଣାଇଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ଉଠିଛି ।

Leave A Reply

Your email address will not be published.