ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

0

ଭୁବନେଶ୍ୱର,: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାରକୁ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ମରୁଡ଼ି ମୁହାଁ ଓଡ଼ିଶା ପାଇଁ ଲଘୁଚାପ ଆଶା ସଞ୍ଚାର କରିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଶୁକ୍ରବାର ରାତିରୁ ଅନେକ ଜାଗାରେ ବର୍ଷା ଆରମ୍ଭ ହୋଇଯାଇଛି । ଶନିବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ରବିବାର ମଧ୍ୟ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ମାତ୍ର ସୋମବାରଠାରୁ ବର୍ଷା ପରିମାଣ କ୍ରମଶଃ କମିବ । ବଡ଼ ବର୍ଷା ସମ୍ଭାବନା ସୋମବାରଠାରୁ ରହିବ ନାହିଁ ।

ପାଣିପାଗ ବିଭାଗ କହିଛି, ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୬୧୧.୧ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୧% କମ୍‌ । ଜଗତସିଂହପୁର, କଟକ, ଖୋର୍ଦ୍ଧା, କୋରାପୁଟ ଓ ମାଲକାନଗିରି ବାଦ୍‌ ବାକି ୨୫ ଜିଲ୍ଲାରେ ବର୍ଷା କମ୍‌ ହୋଇଛି । ଲଘୁଚାପ ବର୍ଷା ପରେ ସ୍ଥିତି ସାମାନ୍ୟ ସୁଧୁରିପାରେ । ମାତ୍ର ଏହି ବର୍ଷା ସତ୍ତେ୍ୱ ଏ ବର୍ଷ ଫସଲ ଅମଳ ହ୍ରାସ ପାଇବା ଆଶଙ୍କା ରହିଛି ।

Leave A Reply

Your email address will not be published.