ରାଜ୍ୟରେ ଏପ୍ରିଲ ୨୧ ଯାଏଁ ସ୍କୁଲ-କଲେଜ୍ ବନ୍ଦ,

0

ସିମଲା : ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇ ସାରିଛି। ଦୈନିକ ଲକ୍ଷାଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ ହିମାଚଳ ପ୍ରଦେଶ ମଧ୍ୟ ବାଦ୍ ପଡିନାହିଁ। ଏହି ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ ନିଷ୍ପତ୍ତି କ୍ରମେ ଏପ୍ରିଲ ୨୧ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।  କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ଶିକ୍ଷାନୁଷ୍ଠାନ ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏବେ ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ ୨୧ କରାଯାଇଛି। ବର୍ତ୍ତମାନ କୌଣସି ନୂତନ  କଟକଣା ଲାଗୁ କରାଯାଇନାହିଁ। ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କୋଭିଡ୍-୧୯ର ସ୍ଥିତି ବିଷୟରେ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରିମଣ୍ଡଳ ସହ ଆଲୋଚନା କରି ଏପ୍ରିଲ ୨୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଓଡିଶାରେ ମଧ୍ୟ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ପର୍ଯ୍ୟନ୍ତ ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ରଖାଯାଇଛି। କରୋନାର ମୁକାବିଲା ପାଇଁ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ୧୦ ଦିନିଆ ସ୍ପେଶାଲଡ୍ରାଇଭ୍ ଚାଲିଛି। ଏଥିସହ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧା ଅଭିଯାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.