ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀରରୁ ୬ଜଣ, ଅନୁଗୁଳ, ଜଗତସିଂହପୁର ଓ ସମ୍ୱଲପୁରରୁ ୫ ଜଣ ଲେଖାଏଁ, ଦେବଗଡରୁ ୪ ଜଣ, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ରହିଛନ୍ତି । ବାଲେଶ୍ୱରରୁ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ଭଦ୍ରକରୁ ଜଣେ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୨୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୦୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୪୭୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୮୮୮୪୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।