ରାଜ୍ୟରେ ଉଦ୍‌ବେଗ ହେଉଛି ଶିଶୁ ଯୌନ ନିର୍ଯାତନା ,୩ ବର୍ଷରେ ୪୧୭୨ ମାମଲା

0

ଭୁବନେଶ୍ୱର,: ରାଜ୍ୟରେ ଦିନକୁ ଦିନ ଉଦ୍‌ବେଗ ହେଉଛି ଶିଶୁ ଯୌନ ନିର୍ଯାତନା । ହେଲେ ଏହାର ମାତ୍ରା କମ୍‌ କରିବାକୁ କିଛି ଆଖିଦୃଶିଆ ପଦକ୍ଷେପ ନାହିଁ । ଅଭିଯୋଗ ଆସିଲେ ପୁଲିସ୍‌ କେବଳ ମାମଲା ରୁଜୁ କରି ଦାୟିତ୍ୱ ସାରି ଦେଉଛି । ମାତ୍ର ଶିଶୁକୁ ନ୍ୟାୟ ମିଳୁନି । ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟ କହୁଛି, ୨୦୧୭ରୁ ୨୦୧୯ ମଧ୍ୟରେ ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ୪ହଜାର ୧୭୨ଟି ମାମଲା ରୁଜୁ ହୋଇଛି ।

ରିପୋର୍ଟ ମୁତାବକ, ୨୦୧୭ରେ ସାରା ରାଜ୍ୟରେ ୨୪୯ଟି ଶିଶୁ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଏଥିରେ ୨୪୯ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ୨୦୧୮ରେ ୧୮୮୯ ମାମଲା ରୁଜୁ ହୋଇଥିବାବେଳେ ୧୮୯୫ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ୨୦୧୯ରେ ସବୁ ରେକର୍ଡ ଭାଙ୍ଗିଥିଲା । ରାଜ୍ୟରେ ୨୧୨୪ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଏନେଇ ବିଭିନ୍ନ ଥାନାରେ ୨୦୩୬ଟି ମାମଲା ରୁଜୁ ହୋଇଥିଲା । ୨୦୧୭ ତୁଳନାରେ ୨୦୧୯ରେ ୭୧୮% ମାମଲା ବୃଦ୍ଧି ପାଇଛି । ତା’ଛଡା ୨୦୧୮ ତୁଳନାରେ ୪% ମାମଲା ବଢ଼ିଛି ।

ନିୟମ କହୁଛି, ମାମଲା ରୁଜୁ ହେବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ହେବ । ହେଲେ ପୁଲିସ୍‌ର ଅବହେଳା ପାଇଁ ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇ ପାରୁନାହିଁ । ଏହି ଘଟଣାରେ ‘କୈଳାଶ ସତ୍ୟାର୍ଥୀ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନ୍‌’ର ନିର୍ଦ୍ଦେଶକ ଜ୍ୟୋତି ମାଥୁର କହିଛନ୍ତି, ପ୍ରତିଦିନ ଦେଶରେ ଶିଶୁ ଯୌନ ନିର୍ଯାତନା ଘଟଣା ଘଟୁଛି । ନିର୍ଭୟା ଠାରୁ ଆରମ୍ଭ କରି ହାତରସ ଭଳି ଘଟଣାରେ ତ୍ୱରିତ ନ୍ୟାୟ ମିଳି ପାରିନାହିଁ । ଶିଶୁ ଯୌନ ନିର୍ଯାତନା ମାମଲାରେ ଯେଉଁଭଳି ଦ୍ରୁତ ପଦକ୍ଷେପ ନେବା କଥା ତାହାର ଢେର ଅଭାବ ଦେଖା ଦେଇଛି । ତେଣୁ ଶିଶୁ ଯୌନ ନିର୍ଯାତନା ମାମଲା ଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ପଦକ୍ଷେପ ନିଆଯାଉ । ରାଜ୍ୟ ମଧ୍ୟ ଏ ବାବଦରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ପ୍ରତି ଶିଶୁକୁ ନ୍ୟାୟ ମିଳିବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ଜ୍ୟୋତି କହିଛନ୍ତି ।

Leave A Reply

Your email address will not be published.