ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ହୋଲି ହେଉଛି ଆନନ୍ଦ ଓ ସାମାଜିକ ସଦ୍ଭାବନାର ଉତ୍ସବ।
ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ହୋଲି ଉପଲକ୍ଷେ ସମସ୍ତ ନାଗରିକ ବନ୍ଧୁଙ୍କୁ ଅଭିନନ୍ଦନ। ରଙ୍ଗର ଉତ୍ସବ ହୋଲି ହେଉଛି ଜନତାଙ୍କ ଜୀବନରେ ଆନନ୍ଦ, ପୁଲକ ଓ ଆଶା ସଞ୍ଚାର କରୁଥିବା ସାମାଜିକ ସଦ୍ଭାବନାର ଉତ୍ସବ। ଆମ ସାଂସ୍କୃତିକ ବିବିଧତାର ଅବିଚ୍ଛେଦ୍ୟ ବିଭବ ଜାତୀୟତାର ଉଚ୍ଛ୍ୱାସକୁ ଏହି ଉତ୍ସବ ଆହୁରି ସୁଦୃଢ଼ କରୁ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେତେଜଣ ମନ୍ତ୍ରୀ ମଧ୍ୟ ହୋଲି ଅବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ଟୁଇଟ୍ କରି ଅମିତ ଶାହ ଲେଖିଛନ୍ତି, ପବିତ୍ର ହୋଲି ଉତ୍ସବ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗ, ଏକତା, ଓ ସଦିଚ୍ଛାର ଏଇ ମହାନ୍ ଉତ୍ସବ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସୌଭାଗ୍ୟ ପ୍ରଦାନ କରୁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇ ଟୁଇଟ୍ କରିଛନ୍ତି, ହୋଲି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ। ଏହି ବର୍ଣ୍ଣିଳ ଉତ୍ସବ ଆପଣମାନଙ୍କୁ ସୁଖ, ସୁସ୍ୱାସ୍ଥ୍ୟ ଓ ସମୃଦ୍ଧି ଦେଉ।