ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା କରୋନା ପଜିଟିଭ୍‌

0

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଉ ଜଣେ ଅଧ୍ୟାପିକା କରୋନା ପଜିଟିଭ୍‌ ହୋଇଛନ୍ତି । ଉକ୍ତ ଅଧ୍ୟାପିକାଙ୍କୁ ମିଶାଇ ରେଭେନ୍ସାରେ ଆଜିସୁଦ୍ଧା ମୋଟ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ରେଭେନ୍ସାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି ବିଶ୍ୱବିଦ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ସଂକ୍ରମଣକୁ ଏଡ଼ାଇବା ପାଇଁ ୨୫ ଓ ୨୬ ତାରିଖରେ ହେବାକୁ ଥିବା ସ୍ନାତକ ଓ ସ୍ନାତକୋତ୍ତରର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏ ବିଷୟରେ ପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏଥିସହିତ ଆସନ୍ତା ୨୭ ତାରିଖଠାରୁ ସ୍ୱାଭାବିକ କ୍ଲାସ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଗତ ଦୁଇ ଦିନ ଭିତରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ଏଡ଼ାଇବାକୁ ସମସ୍ତ ହଷ୍ଟେଲକୁ ସାନିଟାଇଜ୍‌ କରାଯାଉଛି । ଯାହାଠାରେ ଲକ୍ଷଣ ଦେଖାଯାଉଛି, ତାଙ୍କ ସ୍ୱାବ ପରୀକ୍ଷା କରାଯିବା ସହିତ ସଙ୍ଗରୋଧରେ ରଖାଯାଉଛି । ତେବେ ଗତକାଲି ଯେଉଁ ଛାତ୍ରୀଙ୍କର ପଜିଟିଭ୍‌ ବାହାରିଥିଲା ତାଙ୍କୁ ଆଜି ତାଙ୍କର ପରିବାର ଲୋକ ଆସି ଘରକୁ ନେଇଯାଇଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣର ଭୟ ରହିଥିବାରୁ ୨୫ ଓ ୨୬ ତାରିଖରେ ହେବାକୁ ଥିବା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଫଳରେ ଆଜି କିଛି ଅନ୍ତେବାସୀ ହଷ୍ଟେଲ ଛାଡ଼ିଛନ୍ତି । ବିଶ୍ୱବିଦ୍ୟାଳୟରେ ଗତ ୨୧ ତାରିଖରେ ଜଣେ ଅତିଥି ଅଧ୍ୟାପିକା କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ୧୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଛି । ଆଜି ମଧ୍ୟ ବିଭିନ୍ନ ହଷ୍ଟେଲର ଅନ୍ତେବାସୀଙ୍କର ଥର୍ମାଲ ଟେଷ୍ଟିଂ କରାଯାଇଛି । ହେଲେ ଆଜି କୌଣସି ଛାତ୍ରଛାତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ହୋଇନଥିବା ବେଳେ ୨୧ ତାରିଖରେ ଚିହ୍ନଟ ହୋଇଥିବା ଅତିଥି ଆଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବାରୁ ଆଉ ଜଣେ ଅଧ୍ୟାପିକାଙ୍କର ଆଜି କରୋନା ପଜିଟିଭ୍‌ ବାହାରିଛି । ତାଙ୍କୁ ସଙ୍ଗରୋଧରେ ରହିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଏଡାଇବାକୁ ସିସିଡ଼ି ପ୍ରଫେସର ସ୍ମୃତିପ୍ରଭାତ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ କୁଳସଚିବ ଡ. ଭକ୍ତ ଚରଣ ପ୍ରଧାନ, ଚିଫ୍‌ ୱାଡେନ୍‌ ଡ. କିଶୋର କୁମାର ଦାସ, ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ପ୍ରଫେସର ଅସୀମା ସାହୁ ପ୍ରମୁଖ ସାମିଲ ଥିଲେ । ବୈଠକରେ ୧୪ ଦିନ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରି ଅନ୍‌ଲାଇନ୍‌ରେ କରାଯିବାକୁ ନିଷ୍ପତ୍ତି ନେଇଥିଲେ । ପୁଣି ସନ୍ଧ୍ୟାରେ କୁଳପତି ଦାୟିତ୍ୱରେ ଥିବା ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ ବସିଥିଲା । ଏହି ବୈଠକରେ ସମସ୍ତ ହଷ୍ଟେଲକୁ ସାନିଟାଇଜ କରିବାକୁ ନିଷ୍ପତ୍ତି ନିଆଯିବା ସହିତ ୨୫ ଏବଂ ୨୬ ତାରିଖରେ ହେବାକୁ ଥିବା ସ୍ନାତକ ଓ ସ୍ନାତକୋତ୍ତର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷା ବିଷୟରେ ପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା । ୧୪ ଦିନ ପାଇଁ ଅଫ୍‌ ଲାଇନ୍‌ କ୍ଲାସ୍‌କୁ ବନ୍ଦ କରିବା ସହିତ ଅନ୍‌ଲାଇନ୍‌ରେ ପଢ଼ାଇବାକୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ପରିବର୍ତ୍ତନ କରାଯାଇ ୨୭ ତାରିଖରୁ ପୁଣି ସ୍ୱାବାଭିକ ଭାବେ କ୍ଲାସ୍‌ କରିବାକୁ ସ୍ଥିର କରାଯାଇଥିଲା । କିନ୍ତୁ କୌଣସି ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ପୂର୍ବକ ଭାବେ ହଷ୍ଟେଲ ଖାଲି କରିବାକୁ କୁହାଯିବ ନାହିଁ । ଯେଉଁମାନେ ଚାହିଁବେ ସେମାନେ ହଷ୍ଟେଲ ରହିପାରିବେ । କାହାକୁ ବାଧ୍ୟବାଧକତା କରାଯିବ ନାହିଁ ବୋଲି ପ୍ରଫେସର ଚୌଧୁରୀ ବୈଠକ ପରେ କହିଛନ୍ତି । ଏହାସହିତ ପ୍ରତିଦିନ କରୋନା ପରୀକ୍ଷା କରାଯିବା ବୋଲି ଚିଫ୍‌ ୱାଡେନ୍‌ ଡ. କିଶୋର କୁମାର ଦାସ କହିଥିଲେ । ଯାହାର ଲକ୍ଷଣ ଦେଖାଯିବ ତାଙ୍କର କରୋନା ପରୀକ୍ଷା କରାଯାଇ ତୁରନ୍ତ ସଙ୍ଗରୋଧରେ ରଖାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଡ. ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.