ରାୟଗଡର ତଲାଇ ଗାଁରେ ଭୂସ୍ଖଳନ, ୪୪ ଜଣଙ୍କର ମୃତ୍ୟୁ

0

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ରାୟଗଡ ଜିଲ୍ଲାର ଏକ ଗାଁ ନିକଟରେ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ସୂଚନାନୁସାରେ, ମହାଡ ତହସିଲର ତଲାଇ ଗାଁରେ ଘଟିଥିବା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଗତ କିଛି ଦିନ ହେବ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲଗାତାର ବର୍ଷା ହୋଇଛି ଯେଉଁଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହି ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଉପରେ ନଜର ରଖିଛନ୍ତି।

 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମହାରାଷ୍ଟ୍ରର ରାୟଗଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନଡିଆରଏଫ ଡିଜି ଏସଏନ ପ୍ରଧାନଙ୍କ ସହ କଥା ହୋଇଛନ୍ତି। NDRF ଟିମ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେନ୍ଦ୍ର ସେଠାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ରାୟଗଡର ତଲାଇ ଗାଁରେ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଯେଉଁଠାରେ ଭୂସ୍ଖଳନ ହେବାର ସମ୍ଭାବନା ଅଛି ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଭୂସ୍ଖଳନ ସ୍ଥଳରୁ ଏପର୍ଯ୍ୟନ୍ତ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଅନେକ ଲୋକ ମାଟି ତଳେ ଫସି ରହିଛନ୍ତି। ଉଦ୍ଧବ ଠାକରେ ଏହି ସ୍ଥିତି ସମୀକ୍ଷା କରୁଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ର ଏକ ଟିମ୍ ମୁମ୍ବାଇ ଠାରୁ ୧୬୦ କିଲୋମିଟର ଦୂରରେ ଥିବା ମହାଡରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅନ୍ୟ ଏକ ଦଳ ମଧ୍ୟ ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି।

ମହାରାଷ୍ଟ୍ରର ମହାବଳେଶ୍ୱର ଏବଂ ସତାରା ଜିଲ୍ଲାର ନବାଜାରେ ଗତ ଦୁଇ ଦିନ ହେଲା ଲଗାତାର ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର କିଛି ଅଞ୍ଚଳରେ ବିଶେଷ କରି ରତ୍ନଗିରି ଏବଂ ରାୟଗଡ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଙ୍କଣ ଅଞ୍ଚଳର ଏହି ଦୁଇଟି ଜିଲ୍ଲାର ଅନେକ ସ୍ଥାନ ପାଣିରେ ବୁଡି ରହିଛି ଏବଂ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ପଦକ୍ଷେପ ନେଉଛି।

 

ପୁଣେରେ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବରିଷ୍ଠ ବୈଜ୍ଞାନିକ କେ.ଏସ ହୋସଲିକର କହିଛନ୍ତି ଯେ ସତାରାର ଲୋକପ୍ରିୟ ପର୍ବତ ମହାବଳେଶ୍ୱରରେ ଜୁଲାଇ ୨୨ ସକାଳ ସାଢେ ୮ଟା ରୁ ଜୁଲାଇ ୨୩ ଯାଏଁ ୧୭ ଘଣ୍ଟା ମଧ୍ୟରେ ୪୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

Leave A Reply

Your email address will not be published.