ସାଢ଼େ ଚାରି ମାସରେ ଦୋଷୀକୁ ଫାଶୀ ଏବଂ ଅର୍ଥ ଦଣ୍ଡାଦେଶ

0

ଲକ୍ଷ୍ନୌ : ବୁଲନ୍ଦସରରେ ୮ ବର୍ଷର ଝିଅ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗୁରୁବାର ଫଇସଲା ଆସିଛି । ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଆକ୍ଟ ଡ. ପଲ୍ଲବୀ ଅଗ୍ରଓ୍ବାଲ୍‌ ଦୋଷୀକୁ ଫାଶୀ ଏବଂ ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି। ଘରକୁ ପାଣି ପିଇବାକୁ ଆସିଥିବା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରି ମୃତଦେହକୁ ନିଜ ଘରେ ପୋତି ଦେଇଥିଲା ଅଭିଯୁକ୍ତ। ପାଖାପାଖି ସାଢ଼େ ଚାରି ମାସରେ କୋର୍ଟ ରାୟ ପ୍ରକାଶ କରି ମୃତ ନାବାଳିକାକୁ ନ୍ୟାୟ ଦେଇଛନ୍ତି।

 

ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ମୁକ-ବଧିର ଥିଲା । ସେ ୨୫ ଫେବୃଆରୀରେ କ୍ଷେତକୁ କାର୍ଯ୍ୟ କରିବାକୁ ଯାଇଥିଲା। ତାକୁ ଶୋଷ ହେବାରୁ ଜଙ୍ଗଲକୁ ଲାଗି ଥିବା ଘ​‌ରର ନଳକୂପକୁ ପାଣି ପିଇବାକୁ ଯାଇଥିଲା। ସେଠାରୁ ସେ ଅପହରଣ ହୋଇଥିଲା। ଅନେକ ଖୋଜାଖୋଜି କରିବା ପରେ ପରିବାର ଲୋକେ କୋତବାଲି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ।

 

ପୋଲିସର ଛାନଭିନ୍‌ ପରେ ଗୋଟିଏ ଘରେ ପୋତା ଯାଇଥିବା ନାବାଳିକାର ମୃତଦେହ ଉଦ୍ଧାର କରିଥିଲା। ପରେ ଅଭିଯୁକ୍ତ ହରେନ୍ଦ୍ରକୁ ଗିରଫ କରିଥିଲା ପୋଲିସ । ହରେନ୍ଦ୍ର ନାବାଳିକାକୁ ଅପହରଣ କରି ତା ସହ ଦୁଷ୍କର୍ମ କରିଥିଲା । ଏହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ତର୍ଜମା କରିବା ପରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗୁରୁବାର ଜଜ୍‌ ହରେନ୍ଦ୍ରକୁ ଫାଶୀ ଦଣାଦେଶ ଦେବା ସହ ୧.୨୦ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡ ଶୁଣାଇଛନ୍ତି। ତେବେ କୋର୍ଟଙ୍କ ରାୟକୁ ମୃତକଙ୍କ ପରିବାର ଲୋକେ ସତ୍ୟର ବିଜୟ ବୋଲି କହିଛନ୍ତି ।

Leave A Reply

Your email address will not be published.