ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଘଟଣାକୁ ୨ସପ୍ତାହ ବିତିଲାଣି । ତଥାପ୍ତି ପୋଲିସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହା ଅଘଟଣ ନା ହତ୍ୟା କିଛି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ବିଦ୍ୟାଭାରତୀଙ୍କ ପୁଣି ଏକ ହାତଲେଖା ଚିଠି ଗଣମାଧ୍ୟମରେ ଘୁରି ବୁଲୁଛି । ସେଥିରେ ଉଲ୍ଲେଖ ଥିବା ଅକ୍ଷୟ ନାମକ ଚରିତ୍ରକୁ ନେଇ ଏବେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।
ବିଦ୍ୟାଭାରତୀଙ୍କ ଏହି ହାତଲେଖା ଚିଠିରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁ… ଇନ୍ସଲ୍ଟ ହେଲା, ଅନ୍ନେସେସେରୀ କଥା କହିକି ନିଜର ଇନ୍ସଲ୍ଟ କଲି… ଖାଲି ସୁପର୍ଫିସିଆଲି ହିଁ ମିଶନ୍ତି… ମନ ଭିତରେ କ୍ଷତି ହିଁ ଚାହାନ୍ତି… କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ… ଏତେ ପରିମାଣରେ ଜିଲସ୍ନେସ୍, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ… ଆଉ ତୁମ ଜିଲସ୍ନେସ୍ ଦେଖିକି ଭଗବାନ ହସୁଥିବେ… ଭଲ କଥା… ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବ… ଆଉ ମୋର ଟାଇମ୍ ବି… ଅଂଶୁ ଅପାଙ୍କୁ ୮୦ ଦବାର ଅଛି… ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛି… ତାଠୁ ଗୋଟେ ବେଟର୍ ଖୋଜିବି… ଏତେ ନେଗ୍ଲିଜିବ୍ଲ ଫିଲ୍ କରେଇଲା… ଆଇ ହେଟ୍ ହିମ୍… ବହୁତ କଥା ଅଛି ପରେ କହିବି….’। ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି ।
ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଆସିଥିବା ସମୟରେ ପୁଲିସ ତାଙ୍କୁ ସୌମ୍ୟଙ୍କ ସରକାରୀ ବାସଭବନରେ ଥିବା ସାମଗ୍ରୀ ହସ୍ତାନ୍ତର କରିଥିଲା । ତାହା ମଧ୍ୟରେ ଥିବା ବିଦ୍ୟାଭାରତୀଙ୍କ ଏକ ଖାତାରେ ଏଭଳି ଲେଖା ହୋଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୌମ୍ୟଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର । ତେବେ ଏହି ଅକ୍ଷୟ ଜଣକ କିଏ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୁଏତ ଏହି ଲେଖାରୁ ପୁଲିସକୁ ତଦନ୍ତ ପାଇଁ କିଛି ସୁରାକ ମିଳିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରଖି ସେମାନେ ଏହାକୁ ଗଣମାଧ୍ୟମକୁ ଦେଇଥିବା କହିଛନ୍ତି ସୌମ୍ୟଙ୍କ ବଡ ଭାଇ ରଞ୍ଜନ ।
ଅପରପକ୍ଷରେ ତଦନ୍ତ ଅଧାବାଟରେ ଥିବା ସମୟରେ ଏହି ଘଟଣା ପାଇଁ ସୌମ୍ୟଙ୍କ ପରିବାର ଯେଉଁ ୩ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରୁ ରୋଷେୟା ଏବଂ ଡିଏଫ୍ଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା ଗଜପତି ଏସ୍ପି ଏକପ୍ରକାର କ୍ଲିନଚିଟ୍ ଦେଇଛନ୍ତି । ଏସ୍ପିଙ୍କ ଏଭଳି ବୟାନ ପରେ ତଦନ୍ତର ଦିଗ ମଧ୍ୟ ବଦଳିଛି । ଘଟଣା ପଛରେ ବଲାଙ୍ଗୀର ପାର୍ଟି ଲିଙ୍କ୍ ଖୋଳତାଡ ପାଇଁ ୫ ଜଣିଆ ତଦନ୍ତକାରୀ ଦଳ ସେଠାକୁ ଯାଇଛି । ସେଠାରେ ବିଦ୍ୟାଭାରତୀ ତାଲିମ ଗ୍ରହଣ କରୁଥିବା ଅନୁଷ୍ଠାନକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ପୁଲିସର ।