ସାମ୍ବାଦିକ, ସେବାୟତଙ୍କୁ କରୋନା ଟିକା ଦେବାପାଇଁ-କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

0

ଭୁବନେଶ୍ୱର: ସାମ୍ବାଦିକ, ବିଜୁଳି, ପାଣିରେ ନିୟୋଜିତ କର୍ମଚାରୀ, ବିମାନବନ୍ଦର, ରେଲୱେ ଷ୍ଟେସନ୍‌ ଓ ବନ୍ଦର କର୍ମଚାରୀ, ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କରୋନା ଟିକା ଦିଆଯାଉ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

କରୋନା ସମୟରେ ଯେତେବେଳେ ସବୁ ବନ୍ଦ ହୋଇଯାଇଥିଲା, ଗଣାମାଧ୍ୟମ କିନ୍ତୁ ସଚେତନତାର କାମ କରୁଥିଲା । ଗଣମାଧ୍ୟମ କର୍ମଚାରୀ ଘରୁ ବାହାରି ଫିଲ୍ଡକୁ ଯାଉଥିଲେ । ଉଭୟ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ ସେମାନଙ୍କ ଦାୟିତ୍ୱକୁ ତୁଲାଉଛନ୍ତି । ଏମାନେ ବାହାରେ ବୁଲୁଥିବାରୁ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ତେବେ ସାମ୍ବାଦିକଙ୍କୁ କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧା ଭାବେ ଗଣାଯାଉ ନାହିଁ । ସାମ୍ବାଦିକଙ୍କୁ ସଂକ୍ରମଣ ଭୟ ରହିଥିବାରୁ ସେମାନଙ୍କୁ ଟିକା ଦିଆଯାଉ। ରେଳ, ବିମାନ ଓ ବନ୍ଦରରେ ମଧ୍ୟ ଲୋକ ଓ ମାଲ ପରିବହନ ହେଉଛି । ଅଧିକ ଲୋକଙ୍କ ଯାତାୟତ ରହୁଥିବାରୁ ସଂକ୍ରମଣର ଭୟ ରହିଛି। ତେଣୁ ରେଳ, ବିମାନ ଓ ବନ୍ଦର କର୍ମଚାରୀଙ୍କୁ ଟିକା ଦିଆଯାଉ ।

ବିଜୁଳି ଓ ପାଣି ଯୋଗାଣ ଭଳି ଜରୁରି ସେବାରେ ନିୟୋଜିତ କର୍ମଚାରୀ ମଧ୍ୟ ସବୁ ସମୟରେ ଲୋକଙ୍କ ପାଇଁ କାମ କରୁଛନ୍ତି । ସଂକ୍ରମଣର ଭୟ ରହିଛି । ତେଣୁ ଏମାନଙ୍କୁ ଟିକା ଦିଆଯାଉ । ପୁରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିଛି । ବହୁ ଭକ୍ତ ମନ୍ଦିର ଦର୍ଶନ ପାଇଁ ଯାଉଛନ୍ତି । ତେଣୁ ସେବାୟତଙ୍କୁ ଟିକା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.