ନୂଆଦିଲ୍ଲୀ: ସାରା ଦେଶରେ କରୋନାର ପ୍ରକୋପ ପୁଣିଥରେ ବଢିଛି। ଗୁରୁବାର କୋଭିଡ୍-୧୯ ସଂକ୍ରମିତ ଲୋକଙ୍କ ମାମଲା ୫୯ ହଜାରୁ ଅଧିକ ଜଣାପଡିଛି। କରୋନାର ନୂଆ ମାମଲା ୧୭ ଅକ୍ଟୋବର ପରେ ସବୁଠାରୁ ଅଧିକ ରହିଛି। ବିଶେଷଜ୍ଞଙ୍କ ମତରେ ଦେଶରେ କରୋନାର ଦ୍ବିତୀୟ ଲହର ଆସିଛି, ଯାହାଦ୍ବାରା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ଗତବର୍ଷ ମଇ ମାସ ପରେ ପ୍ରଥମ ଥର ଏତେ ଦ୍ରୁତ ଗତିରେ କରୋନା ମାମଲା ବଢିବାରେ ଲାଗିଛି। ଏହା ଦେଖି କୁହାଯାଉଛି ଯେ, ଭ୍ୟାକସିନେସନ୍ ଆରମ୍ଭ କରାଯିବା ପରେ ବି ସଂକ୍ରମଣର ଦ୍ବିତୀୟ ଲହରୀ ସବୁଠାରୁ ଅଧିକ ଘାତକ ପ୍ରମାଣିତ ହୋଇପାରେ। ଅନ୍ୟପକ୍ଷେ ମହାରାଷ୍ଟ୍ର ଓ ଗୁଜରାଟରେ କରୋନାର ପ୍ରଥମ ଲହର କାରଣରୁ ସଂକ୍ରମଣ ଖୁବ୍ ବଢି ଯାଇଛି। ପଞ୍ଜାବରେ ମଧ୍ୟ ଏଭଳି କିଛି ସ୍ଥିତି ରହିଛି। ଏଠାରେ ସଂକ୍ରମଣ ଗତ ଥର ଅପେକ୍ଷା ବଢିଯାଇଛି।
ମାତ୍ର ୭ ଦିନରେ ଦେଶରେ କରୋନାର ମାମଲା ଖୁବ୍ ବଢି ଯାଇଛି। କେବଳ ସପ୍ତାହକରେ ୬୬ ପ୍ରତିଶତ ସଂକ୍ରମଣ ବଢିଯାଇଛି। ଗତ ବର୍ଷ ୧୦ ମଇ ସହିତ ଯଦି ତୁଳନା କରିବା ତେବେ ଏହା ଖୁବ୍ ଅଧିକ। ଗତ ବର୍ଷ ପ୍ରତିଦିନ କରୋନାର ୩,୫୦୦ ନୂଆ ମାମଲା ଦେଖିବାକୁ ମିଳିଥିଲା, କିନ୍ତୁ ଆଜି ଏହା ବଢି ୪୭ ହଜାର ପାର ହୋଇଯାଇଛି। ଏହାର ଅର୍ଥ କରୋନାର ଦ୍ବିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ପ୍ରଥମ ଲହରରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ, ଛତିଶଗଡ, ଦିଲ୍ଳୀ ଓ ତାମିଲନାଡୁର ସବୁଠାରୁ ଅଧିକ ଖରାପ ସ୍ଥିତି ଥିଲା। ସେଭଳି ଦ୍ବିତୀୟ ଲହରରେ ମଧ୍ୟ ମହାରାଷ୍ଟ୍ର, ଗୁଜରାଟ ଓ ପଞ୍ଜାବରେ ପ୍ରତିଦିନ ନୂଆ ରେକର୍ଡ ହେବାରେ ଲାଗିଛି।