କଟକ: ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର କର୍ମଚାରୀମାନଙ୍କ ଦରମା ଅନିୟମିତତା ପ୍ରସଙ୍ଗ ଏବେ ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଛି। କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ସରକାରୀ ପଦବିର ଅପବ୍ୟବହାର କରି ଓ ସରକାରୀ ନିୟମକୁ ଏଡ଼ାଇ ଦେଇ ମେଡିକାଲ ପାଣ୍ଠିରୁ ବିପୁଳ ଟଙ୍କା ଆତ୍ମସାତ୍ କରିଥିବା ବାବଦରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ବାରମ୍ବାର ଏ ସ˚କ୍ରାନ୍ତରେ ଅଡିଟ୍ ହୋଇଥିଲାବେଳେ ଅଡିଟ୍ ରିପୋର୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ଚପାଇ ଦିଆଯାଉଥିବା ଏବ˚ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭିଜିଲାନ୍ସ ଏ ଦିଗରେ ପଦକ୍ଷେପ ନେବା ପାଇଁ ଆବେଦନକାରୀ ଏସ୍ସିବି ମେଡିକାଲ୍ର କନିଷ୍ଠ କିରାଣି ଜୟଦେବ ଦାସ ଲୋକାୟୁକ୍ତଙ୍କୁ ପ୍ରାର୍ଥନା କରିଛନ୍ତି। ଏ ସ˚ପର୍କିତ ଆବେଦନକୁ ଲୋକାୟୁକ୍ତ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଏସ୍ସିବି ମେଡିକାଲ ଅଧୀକ୍ଷକ, ପ୍ରାଶାସନିକ ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହାବାଦ୍ ଜଣେ ନନ୍ ଟେକ୍ନିକାଲ ଷ୍ଟୋର୍ କିପର ଓ ଅନ୍ୟଜଣେ କନିଷ୍ଠ କିରାଣିଙ୍କୁ ଏହି ମାମଲାରେ ତୃତୀୟ ପକ୍ଷ କରାଯାଇଛି। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ ତାରିଖରେ କରାଯିବ।
ମାମଲାର ବିବରଣୀ ଅନୁଯାୟୀ, ୨୦୧୯ ଡିସେମ୍ବରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଡିଟ୍ କରାଯାଇଥିଲା। ସର୍ଭିସ ବୁକ୍ ଓ ଅନ୍ୟାନ୍ୟ ନଥିପତ୍ରକୁ ଯାଞ୍ଚ କରିବାବେଳେ ନିର୍ଦ୍ଧିଷ୍ଟ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବେଆଇନ୍ ଦରମା ଉଠାଣ କାର୍ଯ୍ୟକୁ ରିପୋର୍ଟରେ ବିସ୍ତୃତ ଭାବେ ନାମ ସହ ଉଲ୍ଲେଖ କରିଥିଲେ। ଏପରିକି ଯେଉଁ ବ୍ୟକ୍ତି ଏସବୁ ବେଆଇନ୍ କାର୍ଯ୍ୟ ପାଇଁ ଦାୟୀ ତାଙ୍କ ନାମକୁ ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା। ପରେ ହସ୍ପିଟାଲ କତ୍ତୃର୍ପକ୍ଷ ମଧ୍ୟ ରିପୋର୍ଟ ଉପରେ ତର୍ଜମା କରିବା ପରେ ବିପୁଳ ଅର୍ଥ ଆତ୍ମସାତ୍ ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ଏହା ଉପରେ ଏକ ସ୍ବତନ୍ତ୍ର ଅଡିଟ୍ କରିବା ପାଇଁ କତ୍ତୃର୍ପକ୍ଷ ଡିଏମ୍ଇଟିଙ୍କୁ ଅନୁରୋଧ କରିଥିଲେ। ଏସବୁ ସତ୍ତ୍ବେ ବର୍ତ୍ତମାନ ଏହି ମାମଲାରେ କୌଣସି ଅଗ୍ରଗତି ହୋଇନଥିବା ଆବେଦନକାରୀ ଦର୍ଶାଇଛନ୍ତି।
ଏହାବ୍ୟତୀତ ଆବେଦନକାରୀ ପୂର୍ବରୁ ମଧ୍ୟ ଅନିୟମିତତା ସ˚ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବା ସହ ରିପୋର୍ଟ ଏସ୍ସିବି ଅଧୀକ୍ଷକଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଗତ ତିନିବର୍ଷ ଧରି ରିପୋର୍ଟକୁ ଚପାଇ ଦିଆଯାଇଛି। ଯାହାଫଳରେ ଅନିୟମିତତା ସହ ଜଡ଼ିତ ଥିବା କର୍ମଚାରୀମାନେ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ସାଧନ କରିବାରେ ସଫଳ ହୋଇଯାଇଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗର ଅଡିଟ୍ ରିପୋର୍ଟକୁ ମଧ୍ୟ ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ଚାପି ଦିଆଯାଇଛି। ଏ ଘଟଣାକୁ ଆବେଦନକାରୀ ବାରମ୍ବାର କତ୍ତୃର୍ପକ୍ଷଙ୍କ ନଜରକୁ ଆଣୁଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିବା ଆବେଦନରେ କୁହାଯାଇଛି। ବର˚ ଆର୍ଏସିପି ଲାଗୁ ହେବାଦ୍ବାରା ଲାଭବାନ ହେବାକୁ ଥିବା କର୍ମଚାରୀମାନଙ୍କ ସ୍ଲାବ୍ ପ୍ରସ୍ତୁତ କରି ଅଡିଟ୍ ଅଧିକାରୀ ସ୍ବାସ୍ଥ୍ୟ ବିଭାଗ ଓ ଏସ୍ସିବି ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ। ଏହି ସ୍ଲାବରେ କର୍ମଚାରୀମାନଙ୍କ ଦରମା ସ˚ପର୍କିତ ନିୟମାବଳୀ ସ˚ପର୍କରେ ସ୍ପଷ୍ଟ କରାଯାଇଥିଲା। ଏହା ସତ୍ତ୍ବେ କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବେଆଇନ ଭାବେ ଦରମା ପ୍ରଦାନ କରିଚାଲିଛନ୍ତି। ତେଣୁ ଆବେଦନକୁ ଗ୍ରହଣ କରି ଯେଉଁ କର୍ମଚାରୀମାନଙ୍କୁ ବେଆଇନ୍ ଭାବେ ଅଧିକ ଦରମା ଦିଆଯାଇଛି ସେମାନଙ୍କଠୁ ସୁଧ ସହିତ ତାହାକୁ ଆଦାୟ କରାଯାଉ ଏବ˚ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ବିଭାଗୀୟ ଓ ଅପରାଧିକ ମାମଲା ରୁଜୁ କରାଯାଉ। ଏଥିସହିତ ଯେଉଁ କର୍ମଚାରୀ ଏହି ଅନିୟମିତତାକୁ ନିୟମିତ ଭାବେ କରିଆସୁଛନ୍ତି ସେମାନଙ୍କୁ ଠାବ କରାଯିବା ସହ ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଭିଜିଲାନ୍ସ କତ୍ତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।