କଟକ : କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଏସ୍ସିବିରେ ବିବାଦ ମଧ୍ୟ ବଢିବାରେ ଲାଗିଛି । ବୁଧବାର ଏସ୍ସିବି କୋଭିଡ୍ ୱାର୍ଡରେ ରୋଗୀ ମୃତ୍ୟୁକୁ ନେଇ ମଙ୍ଗଳାବାଗ ଥାନାରେ ଏତଲା କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ଡିହାପଡା ଗ୍ରାମର ସଂଗ୍ରାମ କେଶରୀ ବାରିକ ଥାନାରେ ଦାଖଲ କରିଥିବା ଏତଲା ଅନୁଯାୟୀ, ତାଙ୍କ ମା’ ସରସ୍ୱତୀ ବାରିକ(୬୨) ୧୨ ଦିନ ତଳେ ଏସ୍ସିବିକୁ ଆସିଥିଲେ । ସରସ୍ୱତୀ କିଡ୍ନୀ ଓ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବାବେଳେ କୋଭିଡ୍ ଲକ୍ଷଣ ମଧ୍ୟ ଥିଲା । ଫଳରେ ତାଙ୍କୁ କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସରସ୍ୱତୀଙ୍କର ବୁଧବାର ଭୋର ୪ଟା୫ରେ ମୃତ୍ୟୁ ଘଟିଥିଲା । ସରସ୍ୱତୀଙ୍କ ମୃତ୍ୟୁର ଘଣ୍ଟାକ ପରେ ମେଡିକାଲ ପକ୍ଷରୁ ତାଙ୍କ ପୁଅଙ୍କୁ ଅବଗତ କରାଯାଇଥିଲା । ମୃତଦେହ ସିଏମ୍ସିକୁ ହସ୍ତାନ୍ତର କରାଯିବ । ସକାଳ ୧୦ଟାରେ ସିଏମ୍ସି ପକ୍ଷରୁ ଶବଦାହ କରାଯିବ ବୋଲି କୁହାଯାଇଥିଲା । ଭୋର ୪ ଟାରେ ସରସ୍ୱତୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଅପରାହ୍ନ ସାଢେ ୪ ଟାରେ ମୃତଦେହ ୱାର୍ଡରୁ ବାହାରିଥିଲା । ମୃତ୍ୟୁ ଘଟିବାର ୧୨ଘଣ୍ଟା ପର୍ଯ୍ୟନ୍ତ ଶବକୁ ପକାଇ ରଖାଯାଇଥିଲା । ପୁଅ ସଂଗ୍ରାମ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମେଡିକାଲ ପକ୍ଷରୁ ଦୁର୍ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କୋଭିଡ୍ ନୋଡାଲ ଅଫିସର ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି କହନ୍ତି, କୋଭିଡ ୱାର୍ଡରେ ମୃତ୍ୟୁବରଣ କଲେ କୋଭିଡ୍ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ । ତେଣୁ ସାମାନ୍ୟ ବିଳମ୍ବ ଘଟୁଛି ।