ଜଗତସିଂହପୁର: ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ପ୍ରଭୁ ଗୋରେଖନାଥଙ୍କ ପୀଠ । ଶୁକ୍ରବାରଠୁ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ କରାଯାଇ ଜିଲ୍ଲାର ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି । ମନ୍ଦିର ଭିତରେ ଯେମିତି ଜନଗହଳି ନହୁଏ, ସେଥିପ୍ରତି ସଜାଗ ଦୃଷ୍ଟି ରଖାଯିବ । ସମସ୍ତ ଶ୍ରଦ୍ଧାଳୁ ମାସ୍କ୍ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବେ । ମନ୍ଦିର ପ୍ରବେଶ ପୂର୍ବରୁ ହାତକୁ ବିଶୋଧନ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
କନକପୁର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ପ୍ରତ୍ୟହ ସକାଳ ସାଢ଼େ ୭ଟା ଅବକାଶ ପରେ ସାଧାରଣ ଭକ୍ତ ଦର୍ଶନ କରୁଛନ୍ତି। ସନ୍ଧ୍ୟା ଆଳତି ପୂର୍ବରୁ ଅର୍ଥାତ ୬ଟା ଠାରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ରହିବ ବୋଲି ଜିଲ୍ଳାପାଳଙ୍କ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଏସବୁ ନିଷ୍ପତ୍ତି ହୋଇଛି । ଅପରପକ୍ଷେ କୌଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁମାନଙ୍କୁ ଛଡ଼ା ଯିବ ନାହିଁ । ଭକ୍ତମାନେ ଧାଡ଼ିରେ ଦର୍ଶନ କରିବେ । ମା’ ଶାରଳାଙ୍କ ମନ୍ଦିର ଓ ଆଖାପାଖ ଅଞ୍ଚଳର ଉନ୍ନତିକରଣ ଲାଗି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଏହାଛଡ଼ା ମନ୍ଦିର ପରିସରରେ ପୁରୁଣା ଘର ଗୁଡ଼ିକ ଭଙ୍ଗା ଯାଇ ନୂଆ ଗୃହ ନିର୍ମାଣ, ଓଟିଡିସି ମାର୍କେଟ କମ୍ପେ୍ଲକ୍ସ, ପାର୍କିଂ ସ୍ଥାନ, ବଳଭଦ୍ରଙ୍କ ଦାରୁ ସ୍ମାରକୀ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଆଗକୁ ସାରଳା ପ୍ରକଳ୍ପ ପରିକଳ୍ପନା କରାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ଡିଆଇବି ଡିଏସ୍ପି ରଜନୀକାନ୍ତ ସାମଲ, ସାରଳା ମନ୍ଦିର ନିର୍ବାହୀଅଧିକାରୀଙ୍କ ସମେତ ସାରଳା, ଗୋରେଖନାଥ, ଧ୍ୟାନକୁଦ ଓ ଗଡ଼ କୁଜଙ୍ଗ ମନ୍ଦିରର ସେବାୟତମାନେ ଯୋଗଦେଇଥିଲେ ।