ନୂଆଦିଲ୍ଲୀ : ସିଗନାଲ୍ ନମିଳିବାରୁ ଦେଢ଼ ଘଣ୍ଟା ଅଟକି ରହିଲା ଏକାଧିକ ଟ୍ରେନ୍। ଦିଲ୍ଲୀ-ହାଓ୍ବଡା ରୁଟ୍ରେ ଅନେକ ଏକ୍ସପ୍ରେସ୍, ସୁପରଫାଷ୍ଟ ଟ୍ରେନ୍ ଦେଢ଼ ଘଣ୍ଟା କାଳ ଅଟକି ରହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହା ପଛରେ ଥିବା କାରଣ ଜଣାପଡ଼ିବା ପରେ ଷ୍ଟେସନ ମାଷ୍ଟରଙ୍କ କର୍ତ୍ତବ୍ୟକୁ ନଇେ ପ୍ରଶ୍ନ ଉଠିଛି। ରାତି ୧୨ଟା ପରେ ନାଲି ପାଣି ପିଇ ବାବୁ ଚୂର ହୋଇଯିବା ପରେ ନିଜ ଡ୍ୟୁଟି ଭୁଲି ଶୋଇପଡ଼ିଥିଲେ ।
ଏହା ପରେ ଗୋଟିଏ ପରେ ଗୋଟିଏ ଟ୍ରେନ୍ ଅଟକି ରହିଥିଲା। କଂଚୌଲି ରେଳ ଷ୍ଟେସନ୍ର ଷ୍ଟେସନ ମାଷ୍ଟର ମଦ୍ୟପାନ କରି ଡ୍ୟୁଟି ସମୟରେ ଶୋଇପଡ଼ିବା ପରେ ଏହି ଘଟଣା ଘଟିଥିଲା । ଏନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସେପଟେ ଦେଢ଼ ଘଣ୍ଟା ଅନେକ ଏକ୍ସପ୍ରେସ୍ ରେଳ ଧାରଣାରେ ଯେଉଁଠି ଥିଲେ ସେଇ ଠାରେ ହିଁ ଅଟକି ଯାଇଥିଲେ। ବାବୁଙ୍କ ନିଶା ଖସିଥିଲା ନା ମିଳିଥିଲା ସିଗନାଲ୍। ଏମିତି ଦେଢ଼ ଘଣ୍ଟା ରେଳ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧିତ ହୋଇଥିଲା।
ଏହି ସମୟରେ ମଗଧ ଏକ୍ସପ୍ରେସ୍, ଫରକ୍କା ଏକ୍ସପ୍ରେସ୍, ବୈଶାଳୀ ଏକ୍ସପ୍ରେସ୍ ସମେତ ୫ ମାଲବାହୀ ଟ୍ରେନ୍ ଫଫୁନ୍ଦ ଏବଂ ଝିଝିକ୍ ରେଳ ଷ୍ଟେସନ୍ ମଧ୍ୟରେ ଅଟକି ରହିଥିଲେ। ଏନେଇ ଖବର ମିଳିବା ପରେ ଷ୍ଟେସନ୍ ଅଧୀକ୍ଷକ କଂଚୌସୀ ଷ୍ଟେସନ୍ରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ।
ଶୋଇଥିବା ଷ୍ଟେସନ ମାଷ୍ଟରକୁ ଉଠାଇବା ପରେ ଜଣାପଡ଼ିଲା ସେ ମଦ୍ୟପାନ କରିଥିଲେ। ପରେ ସେ ନିଜେ ସମସ୍ତ କାର୍ଯ୍ୟ କରିବା ସହ ସିଗନାଲ୍ ଦେଇଥିଲେ। ରାତି ୨ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଅଭିଯୁକ୍ତ ଷ୍ଟେସନ୍ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।