କୋରାପୁଟ: ମହଙ୍ଗା ପଡ଼ିଲା ଅନ୍ୟ ଜଣଙ୍କ ନାଁରେ ଫେକ୍ ଫେସ୍ବୁକ୍ ଆଇଡି ଖୋଲିବା। ଖାଲି ଆଇଡି ନୁହେଁ ସେଥିରେ ପୁଣି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଫଟୋ ପୋଷ୍ଟ କରିବା ମଧ୍ୟ ମହଙ୍ଗା ପଡ଼ିଲା ନାବାଳିକାଙ୍କୁ । ଏହି ଘଟଣାର ତଦନ୍ତ କରି କୋରାପୁଟ ଟାଉନ ପୋଲିସ ଜଣେ ନାବାଳିକାକୁ ଅଟକ ରଖିଛି । ନାବାଳିକା ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି । ଏ ନେଇ ବୁଧବାର ଟାଉନ ଥାନା ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୫ ମାସ ତଳେ ଜଣେ ମହିଳାଙ୍କ ନାଁରେ ଫେକ୍ ଫେସ୍ବୁକ୍ ଆଇଡି ଖୋଲାଯାଇଥିଲା । ଏହି ଆଇଡିରେ ଅଶ୍ଳୀଳ ଫଟୋ ଛାଡ଼ିବା ସହ କମେଣ୍ଟ ମଧ୍ୟ ଦିଆଯାଇଥିଲା । ଏହା ଜାଣିବା ପରେ ଉକ୍ତ ମହିଳା ଜଣଙ୍କ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ୩୫୬/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଏହାର ତଦନ୍ତରେ ୪ରୁ ୫ମାସ ଲାଗିଲେ ସୁଦ୍ଧା କୋରାପୁଟ ପୋଲିସ ଫେକ୍ ଆଇଡି ଖୋଲିଥିବା ନାବାଳିକା ଏବଂ ବ୍ୟବହୃତ ହୋଇଥିବା ମୋବାଇଲ୍ ଫୋନକୁ ଜବତ କରିଛି। ଉକ୍ତ ନାବାଳିକା ଓ ମହିଳାଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ତିକ୍ତତା ଲାଗିରହିଥିବାରୁ ତାଙ୍କୁ ବଦନାମ୍ କରିବାକୁ ଏଭଳି କରିଥିବା ନାବାଳିକା ଜଣଙ୍କ ସ୍ଵୀକାର କରିଛନ୍ତି।