ଭୁବନେଶ୍ବର: ପାଖାପାଖୀ ଦୁଇ ମାସ ପରେ ପୁଣି ରାସ୍ତାରେ ଗଡ଼ିବ ‘ମୋ ବସ୍’। ଆସନ୍ତାକାଲି ଅର୍ଥାତ୍ ସୋମବାରଠୁ ପୁଣି ଆରମ୍ଭ ହେବ ‘ମୋ ବସ୍’ ସେବ।। ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ଗଡ଼ିବ ୮୭ଟି ବସ୍ । ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନଜରରେ ରଖି ବସ୍ ଡିପୋରେ ଥିବା ବସ୍ ଗୁଡ଼ିକକୁ ରବିବାର ସାନିଟାଇଜ କରାଯାଇଛି।
ଲକ୍ଡାଉନ୍ କାରଣରୁ ବନ୍ଦ ଥିଲା ମୋ ବସ୍ ସେବା। ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ କିଛି ବସ ଜରୁରୀକାଳୀନ ସେବା ପାଇଁ ଚାଲୁଥିବା ବେଳେ ଆଉ ସମସ୍ତ ବସ ଡିପୋରେ ରହିଥିଲା। ସରକାର କଟକଣାରେ ଆଂଶିକ କୋହଳ କରିବା ଫଳରେ ସୋମବାର ଠାରୁ ୧୬ ଟି ରୁଟରେ ଏହି ସେବା ପୁଣିଥରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୮୭ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ୍ (CRUT) । କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ । ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରାକରିବାକୁ ଅନୁମତି ଦିଆଯିବ ନାହିଁ । ସିଟ ଅନୁଯାୟୀ ପାସେଞ୍ଜର ଯିବେ। ଠିଆ ହୋଇଯିବା ପାଇଁ ପାସେଞ୍ଜରଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, କେବଳ ସିଟି ବସ ନୁହେଁ ଆସନ୍ତାକାଲି ଠାରୁ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେଉଛି। ତେବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ।