ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ଘଟଣା :ଅଧାରେ ଅଟକିଛି ତଦନ୍ତ

0

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ପୁଲିସ ଜାରି ରଖିଛି । ଏଥିରେ ସହାୟତା କରୁଛି କ୍ରାଇମବ୍ରାଞ୍ଚ୍‌ । ଘଟଣାକୁ ୨୦ ଦିନ ବିତି ସାରିଥିବା ବେଳେ ଘଟଣାର ରହସ୍ୟ ଉପରୁ ପରଦା ହଟୁନାହିଁ । ଯାଞ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର, ବୁଦ୍ଧିଜୀବୀ ଓ ଆଇନଜୀବୀ । ଏତେବଡ଼ ଘଟଣାରେ ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ପ୍ରଦାନ ଦାବି କରି ଗତ ୨୭ ତାରିଖ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ। ଏସବୁ ମଧ୍ୟରେ ଗଜପତି ଏସ୍‌ପି ତପନ ପଟ୍ଟନାୟକ ଶନିବାର ଅବସର ଗ୍ରହଣ କରିଛନ୍ତି । କେହି ନୂଆ ଏସ୍‌ପି ଆସିନଥିବା ଯୋଗୁଁ ଦାୟିତ୍ୱରେ ରହିଛନ୍ତି ଏଏସ୍‌ପି ବାମଦେବ ସିଂ। ଜିଲ୍ଲା ପୁଲିସ ମୁଖ୍ୟ ବଦଳିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏସିଏଫ୍‌ ରହସ୍ୟଜନକ ମୃତ୍ୟୁ ଘଟଣାକୁ ସମୟ ଯେତିକି ଗଡୁଛି, ସସ୍‌ପେନ୍‌ସ୍‌ ସେତିକି ବଢୁଛି । ତଦନ୍ତକାରୀ ଟିମ୍‌ ୪ଟି ଜିଲ୍ଲା ବୁଲି ତଦନ୍ତ କରିଛି, କିନ୍ତୁ କୌଣସିଠାରୁ ମଧ୍ୟ କିଛି ବିଶେଷ ସୁରାକ ପାଇନାହିଁ । ଶରୀରର ୯୫% ପୋଡ଼ି ହୋଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପେଟ ସମ୍ପୂର୍ଣ୍ଣ ଖାଲି ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ପୋଡ଼ା ଶରୀରରୁ କିରାସିନି ଗନ୍ଧ ବାହାରୁଥିବା ମଧ୍ୟ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ବହୁ ପ୍ରଶ୍ନ ଅସମାହିତ ରହିଥିବା ବେଳେ ପୁଲିସ ଏବଂ କ୍ରାଇମବ୍ରାଞ୍ଚ୍‌ ମିଳିତ ତଦନ୍ତକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.