ଶ୍ରାବଣ ମାସରେ ମୁଣ୍ଡଫଟା ଖରା, ଉଜୁଡି ଗଲାଣି ଫସଲ

0

ଅନୁଗୁଳ : ଶୁଖିଲା ପଡ଼ିଛି ଧାରା ଶ୍ରାବଣ । ଯେଉଁ ସମୟରେ ମୂଷଳ ଧାରାରେ ବର୍ଷା ହେବା କଥା, ଚାଷୀ ହରଷ ମନରେ ଚାଷ କାମ ଆଗେଇ ନେବା କଥା³ ସେହି ସମୟରେ ଶୁଖିଲା ପଡ଼ିଛି ଜମି । ଜମି ଫାଟି ଆଁ’ କଲାଣି । ଧାନ ତଳି ଉଜୁଡ଼ି ଗଲାଣି । ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି, କିନ୍ତୁ ବର୍ଷାର ନାଁ ଗନ୍ଧ ନାହିଁ । ନିଅଣ୍ଟିଆ ବର୍ଷା ଯୋଗୁ ଏବର୍ଷ ଚାଷ ନେଇ ଆଉ ଆଶା ନାହିଁ । ବିଳମ୍ବିତ ବେଉଷଣ ନେଇ ଯେଉଁ ଆଶା ଟିକକ ଥିଲା, ତାହା ମଧ୍ୟ ମଉଳିବାରେ ଲାଗିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ଉଭାନ୍‌ ହୋଇଯାଇଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷାକୁ ଚାହୁଁ ଚାହୁଁ ସରିଗଲା ଜୁଲାଇ ମାସ । ଆଶାନୁରୂପ ବର୍ଷା ହେଲାନି । ସ୍ୱାଭାବିକ ବର୍ଷା ଠାରୁ ୧୦୦ ମିମିରୁ କମ୍‌ ବର୍ଷିଲା । ଅଗଷ୍ଟ ପହିଲାରୁ ବର୍ଷା ହେବା ନେଇ ଚାଷୀ ଆଶା ବାନ୍ଧିଥିବା ବେଳେ ବର୍ଷାର ଦେଖା ନାହିଁ । ଅନିୟମିତ ବର୍ଷା ଯୋଗୁ ଖାଲୁଆ ଜମିରେ ରୁଆ କାମ ଚାଲିଛି । ସେପଟେ ଢିପ ଜମି ସବୁ ଶୁଖିଲା ପଡ଼ିଛି ।

ଶିଳ୍ପ ବହୁଳ ଅନୁଗୁଳରେ ଜଳସେଚନ ପାଇଁ ସେତେଟା ସୁବିଧା ନାହିଁ । ମୌସୁମୀ ଜନିତ ବର୍ଷା ଉପରେ ନିର୍ଭର କରନ୍ତି ଚାଷୀକୁଳ । ଗତ କିଛି ବର୍ଷ ହେଲା ଜିଲ୍ଲାରେ ମୌସୁମୀ ଲୁଚକାଳି ଖେଳିଆସୁଛି । ବିଳମ୍ବରେ ଚାଷ କାମ ଆରମ୍ଭ ହେଉଥିବା ବେଳେ ଏବର୍ଷ କିନ୍ତୁ ବର୍ଷା ସତେ ଯେମିତି ନିଷ୍ଠୁର ପାଲଟିଛି । ଶ୍ରାବଣ ମାସରେ ଟାଇଁ ଟାଇଁ ଖରା ହେଉଛି । ସୂର୍ଯ୍ୟଙ୍କ ପ୍ରକୋପ ଏତେ ଟାଣ ଯେ ବାହାରକୁ ବାହାରିବାକୁ ଡର ଲାଗୁଛି । ନଳରେ ଗରମ ପାଣି ବାହାରୁଛି । ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେ ଅଗଷ୍ଟ ମାସର ସ୍ୱାଭାବିକ ବର୍ଷାର ପରିମାଣ ହେଲା ୩୫୭.୫୫ ମିଲିମିଟର । ମାତ୍ର ମାସର ପ୍ରଥମ ସପ୍ତାହରେ ଆଦୌ ବର୍ଷା ନାହିଁ । ସାରା ଜିଲ୍ଲାରେ ମାତ୍ର ୫.୬୮ ମିିଲିମିଟର ବର୍ଷା ରେକର୍ଡ୍‌ ହୋଇଛି । କାଁ ଭାଁ ଅଞ୍ଚଳରେ ବର୍ଷା ଛିଞ୍ଚିଥିବା ବେଳେ ଆଉ କେଉଁଠି ମାଟି ବି ଓଦା ହୋଇନି ।

ଏମିତିକି ଗତ ୪ ତାରିଖ ଦିନ ଜିଲ୍ଲାର କେଉଁଠି ବର୍ଷା ଟୋପା ପଡ଼ିନି । ଅଗଷ୍ଟ ପହିଲାରେ କେବଳ ଆଠମଲ୍ଲିକ ବ୍ଲକ୍‌ରେ ବର୍ଷା ଛିଞ୍ଚିଥିଲା । ସେଠାରେ ମାତ୍ର ୨ ମିମି ବର୍ଷା ହୋଇଥିବା ବେଳେ ରାଜକିଶୋରନଗରରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଥିଲା । ଏହି ଦୁଇ ବ୍ଲକକୁ ଛାଡ଼ିଦେଲେ ଏହି ଦିନ ଆଉ କେଉଁଠି ବି ବର୍ଷା ହୋଇନି । ସେହିପରି ୨ ତାରିଖରେ ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗରରେ ଅଳ୍ପରେ ବର୍ଷା ହୋଇଥିବା ବେଳେ ୩ ତାରିଖରେ ପାଳଲହଡ଼ା ବ୍ଲକରେ ୧୩ ମିମି ବର୍ଷା ହୋଇଥିଲା । ଗତକାଲି କେବଳ ଛେଣ୍ଡିପଦାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ୬ ତାରିଖରେ କଣିହାଁ ବ୍ୟତୀତ ଆଉ କେଉଁଠି ବର୍ଷା ନାହିଁ । ଜିଲ୍ଲାର ସମସ୍ତ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଢିପ ଅଞ୍ଚଳରେ ତଳି ନଷ୍ଟ ହେବାକୁ ବସିଲାଣି । ଯେଉଁ ତଳୁଆ ଅଞ୍ଚଳରେ ରୁଆ ବେଉଷଣ ସରିଛି, ସେଠାରେ ବର୍ଷାର ଆବଶ୍ୟକତା ରହିଛି ।

ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଅଧିକାରୀ ଦେବରାଜ ମହାନ୍ତି କହିଛନ୍ତି, ୮ ଦିନ ହେଲା ଜିଲ୍ଲାରେ ବିଶେଷ ବର୍ଷା ନାହିଁ । ଯାହା କିଛି ବର୍ଷା ହୋଇଥିଲା, ତଳୁଆ ଜମିରେ ଚାଷ କାମ ଚାଲିଛି । ଢିପ ଜମି କିନ୍ତୁ ଶୁଖିଲା ପଡ଼ିଛି । ବର୍ଷା ନହେଲେ ଆଗକୁ ସ୍ଥିତି ସଙ୍ଗୀନ୍‌ ହେବାର ଆଶଙ୍କା ଜଳ ଜଳ ଦେଖାଗଲାଣି । ଚାଷ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭର କରୁଛି । ବର୍ଷା ନହେଲେ ଚାଷ ଉଜୁଡିଯିବ । ସାର ଅଭାବ ଦୂର କରିବାକୁ ଚେଷ୍ଟା ଚାଲିଛି । ଖରିଫ୍‌ ଚାଷ ପାଇଁ ଆମକୁ ୫୮୦୦ କୁଇଣ୍ଟାଲ୍‌ ସାର ଦରକାର । ଏପର୍ଯ୍ୟନ୍ତ ପ୍ରାୟ ୩ ହଜାର କୁଇଣ୍ଟାଲ୍‌ ସାର ଦିଆସଲାଣି । ଜିଲ୍ଲାସ୍ତରରେ ଏବେ ୧୭୫ କୁଇଣ୍ଟାଲ୍‌ ସାର ମହଜୁଦ ଅଛି । ଆଜି ମାଧପୁରରେ ୫୦ କୁଇଣ୍ଟାଲ୍‌ ସାର ପହଞ୍ଚିଛି । ଖୁବ୍‌ଶୀଘ୍ର ଅବଶିଷ୍ଟ ସାର ପହଞ୍ଚିଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.